
ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନକୁ ସାକାର କରି ବଡ଼ବିଲ ବାଇପାସ୍ ତଥା ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତବର୍ଷ ଘଟଗାଁରେ ଦିଆଯାଇଥିବା ପ୍ରତିଶୃତିକୁ ସେ ଏହି ଅବସରରେ ପୂରଣ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପାଇଁ ବିଶାଳ ଉନ୍ନୟନ ପ୍ୟାକେଜ୍ ଘୋଷଣା କରାଯାଇଛି। ୨୯ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପର ଲୋକାର୍ପଣ ଓ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ବଡ଼ବିଲ ସହରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ୧୮ କିଲୋମିଟର ୩୨୬ ମିଟର ଦୀର୍ଘ ବାଇପାସ୍ ରିଙ୍ଗରୋଡ଼ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ ହେବ। ଭଦ୍ରା ସାହିରୁ ସେରେଣ୍ଡା, ସେରେଣ୍ଡାରୁ ବଲାଣି ଓ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ଏହି ରିଂ ରୋଡ୍ ନିର୍ମାଣ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଡ଼ବିଲ ଓ କେନ୍ଦୁଝର ଅଞ୍ଚଳର ଭାରି ଯାନବାହାନ ଚଳାଚଳ ଓ ଟ୍ରାଫିକ ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏହି ରିଙ୍ଗରୋଡ଼ ନିର୍ମାଣ ହେଲେ ଦିନକୁ ୪୦ ହଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିପାରିବ। ବର୍ତ୍ତମାନ ଦିନକୁ ପ୍ରାୟ ୧୫ ହଜାର ଯାନ ଚଳାଚଳ କରୁଥିବା ବେଳେ ଏହି ପ୍ରକଳ୍ପ ପରେ ଟ୍ରାଫିକ ଚାପ ଅନେକ କମିବ।
ଏହା ସହିତ ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଞ୍ଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ ସବ୍ଷ୍ଟେସନ୍ ନିର୍ମାଣ ହେବ। ବଡ଼ବିଲ–ପାରାଦ୍ୱୀପ ୮ ଲେନ୍ ସଡ଼କ ନିର୍ମାଣକୁ ମଧ୍ୟ ଶୀଘ୍ର ଗତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ୯୫ କୋଟି ଟଙ୍କା ବ୍ୟୟରେ ବାମ୍ବେରୀ–ପଲାସା–ଗୁରୁଡା–କୋଇଡା ୧୦ କିମି ସଡ଼କ, ୩୦ କୋଟି ଟଙ୍କାରେ ସୁଆକଟି–ଡୁବୁନା–କାଳିମାଟି ସଡ଼କ ଓ ପଳାଶପଙ୍ଗା–ବାମ୍ବେରୀ KIDCO ରୋଡ଼ର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ।
ଏହାସହିତ ବଡ଼ବିଲ ଉତ୍ସବ ପଡ଼ିଆରେ କ୍ରୀଡା ଭିତ୍ତିଭୂମି, ବସ୍ ଷ୍ଟାଣ୍ଡ ଉନ୍ନତିକରଣ, ଆଇଟିଆଇ ଷ୍ଟାଫ୍ କ୍ୱାର୍ଟର୍, ସବ୍ ରେଜିଷ୍ଟ୍ରାର ଅଫିସ୍, ଟାଉନ୍ ହଲ୍ ଓ ପାର୍କ ନିର୍ମାଣ ଭଳି ଅନେକ ଲୋକହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି।
ଏହି ବିଶାଳ ଉନ୍ନୟନ ପ୍ରୟାସ ଦ୍ୱାରା ବଡ଼ବିଲ ସହରର ଆର୍ଥିକ କାର୍ଯ୍ୟକଳାପ ବଢିବା ସହିତ ନୂତନ ହାଉସିଂ ଓ ଶିଳ୍ପ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।



