
ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। ଚାରିଆଡେ ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ସମସ୍ତ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନକୁ ନେଇ ହଲଚଲ ଜାରି ରହିଛି। ସମସ୍ତେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି। ଏହାରି ଭିତରେ ଗତଥର ଭଳି ଚଳିତ ଥର ମଧ୍ୟ ଗୁଜରାଟ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଆଶଙ୍କା କରାଯାଉଛି। ଏଥିସହ ନଭେମ୍ବର ୧ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭାର ୧୮୨ଟି ସିଟ୍ ପାଇଁ ନିର୍ବାଚନ ହେବ। ନିର୍ବାଚନ ତରିଖ ଘୋଷଣା ହେବା ପରେ ଗୁଜରାଟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ସୂଚନା ଅନୁସାରେ, ଗୁଜରାଟ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଡିସେମ୍ବର ୧ ଓ ୨ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଓ ୪-୫ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯିବ। ଡିସେମ୍ବର ୮ରେ ଫଳାଫଳ ଆସିବ ବୋଲି ଆକଳନ କରାଯାଉଛି। ଏଥର ଗୁଜରାଟ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ବିଜେପି, କଂଗ୍ରସ ଓ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେବ କଡା ଟକ୍କର୍।