କୋଇଲା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ପାଇଁ ଆଇଆଇଏମ୍ ସମ୍ବଲପୁର-ଏମ୍ସିଏଲ୍ ଚୁକ୍ତି

ସମ୍ବଲପୁର: କୋଇଲା ବ୍ୟବସାୟ ଓ ପରିଚାଳନା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ବଢ଼ାଇବା ପାଇଁ ଭାରତୀୟ ପରିଚାଳନା ସଂସ୍ଥାନ (ଆଇଆଇଏମ୍) ସମ୍ବଲପୁର ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ମଧ୍ୟରେ ଏକ ସମଝୌତା ସ୍ମାରକପତ୍ର ସ୍ୱାକ୍ଷର ହୋଇଛି।
ଏହି ଚୁକ୍ତି ଅନୁସାରେ ଏମ୍ସିଏଲ୍ର ୫୦୦ ଅଧିକାରୀଙ୍କୁ କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଙ୍ଗ୍ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ କୋଇଲା ବ୍ୟବସାୟ, କାର୍ଯ୍ୟପ୍ରଣାଳୀ ଓ ପରିଚାଳନାରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଯିବ।
ଚୁକ୍ତିପତ୍ରରେ ଏମ୍ସିଏଲ୍ର ମାନବ ସମ୍ପଦ ନିର୍ଦ୍ଦେଶକ କେଶବ ରାଓ ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଏମ୍ସିଏଲ୍ର ଅଧ୍ୟକ୍ଷ-ସହ-ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଓ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କୁହାଯାଇଛି ଯେ ଡିଜିଟାଲ୍ ଯୁଗରେ ପ୍ରଯୁକ୍ତି-ସଜ୍ଜ ଓ ଭବିଷ୍ୟତମୁଖୀ ନେତୃତ୍ୱ ଗଢ଼ି ତୋଳିବା ହିଁ ଏହି ସହଯୋଗର ମୁଖ୍ୟ ଲକ୍ଷ୍ୟ।



