
ଏସ୍ସିବି ଡାକ୍ତରଖାନାରେ ଇକ୍ମୋ ସପୋର୍ଟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କର ଶନିବାର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍ସିବିରେ ଏହା ପ୍ରଥମ ଇକ୍ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । କୋଭିଡ୍ରେ ଆକ୍ରାନ୍ତ ଜଗନ୍ନାଥ ପ୍ରଧାନ ବହୁ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । କୋଭିଡ୍ ଯୋଗୁଁ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟା ସମେତ ଶରୀରରେ ଏକାଧିକ ସମସ୍ୟା ଦେଖାଦେଇଥିଲା ।
ତାଙ୍କୁ ଏସ୍ସିବିରେ ଇକ୍ମୋ ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା । ଗତ ୨୯ ତାରିଖରେ ଜଗନ୍ନାଥଙ୍କୁ କାର୍ଡିଓଥୋରାସିସ୍ ବିଭାଗରେ ଥିବା ଏକ୍ମୋ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଥିଲାବେଳେ ଶନିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ହୃଦ୍ଘାତ(କାର୍ଡିଆକ୍ ଆରେଷ୍ଟ)ହୋଇ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଏକ୍ମୋ ସପୋର୍ଟରେ ଏସ୍ସିବିରେ ଏବେ ଆଉ ୨ ଜଣ ରୋଗୀ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।