ଗତ 9ବର୍ଷରେ ଦେଶରେ 30ଟି ନୂଆ କ୍ୟାନସର ହସ୍ପିଟାଲ ବିକଶିତ କରାଯାଇଛି-ପିଏମ ମୋଦି
ନୂଆଦିଲ୍ଲୀ, 21 ଜାନୁଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ, ସରକାରଙ୍କ ପ୍ରୟାସ ରହିଛି ଯେ, କ୍ୟାନସର ଉପଚାରରେ କୌଣସି ରୋଗୀ ସମସ୍ୟାରେ ନପଡନ୍ତୁ । ଏହି ଚିନ୍ତାଧାରା ସହ ଗତ 9ବର୍ଷରେ ଦେଶରେ ପ୍ରାୟ 30ଟି ନୂଆ କ୍ୟାନସର ହସ୍ପିଟାଲ ବିକଶିତ କରାଯାଇଛି ଏବଂ ଆହୁରି 10ଟି ନୂଆ କ୍ୟାନସର ହସ୍ପିଟାଲ ପାଇଁ କାମ ଚାଲିଛି ।
ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟରେ ଶ୍ରୀ ଖୋଡଲଧାମ ଟ୍ରଷ୍ଟ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଖୋଡଳଧାମର ପବିତ୍ର ଭୂମି ଓ ଖୋଡଲ ଗାଆଙ୍କ ଭକ୍ତି ସହିତ ଯୋଡି ହେବା ସୌଭାଗ୍ୟର କଥା ବୋଲି କହିଛନ୍ତି । ମୋଦି କହିଛନ୍ତି ଯେ, ଶ୍ରୀ ଖୋଡଲଧାମ ଟ୍ରଷ୍ଟ ଅମରେଲିରେ କ୍ୟାନସର ହସ୍ପିଟାଲ ଓ ଅନୁସନ୍ଧାନ କେନ୍ଦ୍ର ପାଇଁ ଆଧାରଶିଳା ରଖି ଜନକଲ୍ୟାଣ ଓ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ସେ କହିଛନ୍ତି ଯେ, 14ବର୍ଷ ପୂର୍ବରୁ ଲେଓଭା ପାଟିଦାର ସମାଜ ସେବା, ସଂସ୍କାର ଓ ସମର୍ପଣ ସଂକଳ୍ପ ସହିତ ଶ୍ରୀଖୋଡଲଧାମ ଟ୍ରଷ୍ଟର ସ୍ଥାପନା କରିଥିଲେ । ସେବେଠାରୁ ଟ୍ରଷ୍ଟ ନିଜର ସେବା ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛି ।
ପିଏମ ମୋଦି କହିଛନ୍ତି ଯେ, ଦେଶର ବିକାଶ ପାଇଁ ଲୋକ ସୁସ୍ଥ ରହିବା ଓ ସଶକ୍ତ ହେବା ଆବଶ୍ୟକ । ଖୋଡଲ ମାତାଙ୍କ ଆଶୀର୍ବାଦରୁ ଆଜି ଆମ ସରକାର ଏହି ଚିନ୍ତାଧାରାକୁ ନେଇ ଚାଲୁଛି । ଗମ୍ଭୀର ରୋଗରେ ଗରିବମାନେ ଚିକିତ୍ସା ପାଇଁ ଚିନ୍ତା ନକରିବା ନିମନ୍ତେ ଆମେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛୁ । ଆଜି ଏହି ଯୋଜନାର ସହାୟତାରେ 6କୋଟିରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ଚିକିତ୍ସା କରାଇସାରିଛନ୍ତି ।