
ବିଶ୍ୱ ମହିଳା କ୍ରିକେଟର ସଚିନ ତେନ୍ଦୁଲକର। ମହିଳା କ୍ରିକେଟର କ୍ୟାପ୍ଟେନ କୁଲ। ମହିଳା କ୍ରିକେଟରେ ସର୍ବାଧିକ ରନହାସଲକାରୀ। ଏମିତି କେତେ କ’ଣ ଆଖ୍ୟା ପାଇଥିବା ଭାରତୀୟ ମହିଳା କ୍ରିକେଟର ଅନ୍ୟତମ ତାରକା ମିତାଲି ରାଜଙ୍କ ଆଜି ହେଉଛି ଜନ୍ମଦିନ। ରାଜସ୍ଥାନର ଯୋଧପୁରରେ ୧୯୮୨ ମହିହା ଡିସେମ୍ବର ୩ରେ ଜନ୍ମ ଗ୍ରହଣ କରିଥିବା ମିତାଲି ଆଜି ୪୦ ବର୍ଷରେ ପାଦ ଦେଇଛନ୍ତି।
ଦୁଇ ଦଶନ୍ଧିରୁ ଅଧିକ ସମୟ କ୍ରିକେଟ ସହ ଜଡ଼ିତ ଥିବା ମିତାଲି ଅନେକ ରେକର୍ଡର ଅଧିକାରୀ। ସେ ପ୍ରଥମ ଭାରତୀୟ ଯାହାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦୁଇଥର ବିଶ୍ୱକପ ଫାଇନାଲ ମଧ୍ୟ ଖେଳିଛି। ହେଲେ ମିତାଲି ପିଲା ବେଳୁ କ୍ରିକେଟର ହେବେ ବୋଲି କେବେ ଭାବି ନଥିଲେ। କ୍ଲାସିକାଲ ଡ୍ୟାନ୍ସ କରୁଥିବା ମିତାଲି କେମିତି କ୍ରିକେଟର ହେଲେ ଓ ଏହା ପଛରେ କିଏ ରହିଥିଲେ, ସେକଥା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।
ଗୋଟିଏ ତାମିଲ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ପିଲାଟି ବେଳକୁ ସେ କ୍ଲାସିକାଲ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଜଣେ ଦକ୍ଷ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ହୋଇଯାଇଥିଲେ। ଏହି କଳା କ୍ଷେତ୍ରରେ ସେ ଆଗକୁ ଯିବାକୁ ଲକ୍ଷ୍ୟ ରଖିଥିଲେ ହେଁ ଆସିଥିଲା ନୂଆ ଟ୍ୱିଷ୍ଟ।
ଭାରତନାଟ୍ୟମ ସହ ମିତାଲି ଆଖପାଖ ଅଞ୍ଚଳରେ ପିଲାଙ୍କ ସହ ବେଳେବେଳେ କ୍ରିକେଟ ମଧ୍ୟ ଖେଳୁଥିଲେ। ଏହା ଦେଖି ତାଙ୍କ ବାପା ଦୁରାଇ ରାଜ ପ୍ରଥମଥର ପାଇଁ ମିତାଲିଙ୍କୁ ପ୍ରଫେସନାଲ କ୍ରିକେଟ ଖେଳିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ମା’ ଲୀଲା ରାଜ ଜଣେ କ୍ରିକେଟର ହୋଇଥିବାରୁ ମିତାଲିଙ୍କୁ ସେ ମଧ୍ୟ ସହଯୋଗ କରିଥିଲେ। ବାପା ମା’ଙ୍କ ପ୍ରେରଣା ଓ ସହଯୋଗ ବଳରେ ମିତାଲି କ୍ଲାସିକାଲ ଡ୍ୟାନ୍ସ ଛାଡ଼ି କ୍ରିକେଟକୁ ବାଛି ନେଇଥିଲେ।
ହାଇଦ୍ରାବାଦରେ ସ୍କୁଲ ଶିକ୍ଷା ଲାଭ କରୁଥିବା ବେଳେ ମିତାଲି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପ୍ରଥମେ ସ୍କୁଲ ପାଇଁ ଖେଳୁଥିବା ମିତାଲି ଧୀରେଧୀରେ ଆଗକୁ ବଢ଼ିଥିଲେ। ସ୍କୁଲ ବେଳେ ସେ କ୍ରିକେଟର ତାଲିମ ମଧ୍ୟ ନେଇଥିଲେ। ଆଉ ମାତ୍ର ୧୭ ବର୍ଷ ବୟସରେ ତାଙ୍କୁ ଭାରତର ଜାତୀୟ ମହିଳା ଟିମ୍ରେ ସୁଯୋଗ ମିଳିଥିଲା। ସେବେଠାରୁ ଆଉ ସେ ପଛକୁ ଫେରି ଚାହିଁନାହାନ୍ତି।
ଡେବ୍ୟୁ ମ୍ୟାଚ୍ରେ ହିଁ ମିତାଲି ଭାରତ ପାଇଁ କମାଲ କରିଥିଲେ। ୧୯୯୯ରେ ସେ ଆୟର୍ଲ୍ୟାଣ୍ତ ବିପକ୍ଷରେ ଅପରାଜିତ ୧୧୪ ରନର ଇନିଂସ ଖେଳି ମହିଳା କ୍ରିକେଟରେ ଉଦୟମାନ ତାରକା ଭାବେ ଉଭା ହୋଇଥିଲେ। ଏଥିସହ ମହିଳା ଦିନିଆକିଆରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ କରିଥିଲେ।
ସେତେବେଳେ ଭାରତରେ ମହିଳା କ୍ରିକେଟକୁ ସେତେଟା ଗୁରୁତ୍ୱ ଦିଆଯାଉ ନଥିଲା। ତଥାପି ମିତାଲି ନିଜର ଦକ୍ଷତା ଓ ଜଲୱା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ମହିଳା ସଫଳତାର ନୂଆ ଶିଖରରେ ପହଞ୍ଚିଛି। ଅନେକ ମହିଳା ମିତାଲିଙ୍କୁ ଦେଖି କ୍ରିକେଟ ପ୍ରତି ଆଗ୍ରହ ଦେଖାଇଛନ୍ତି।
ଦୀର୍ଘ ୨୩ ବର୍ଷ ଧରି ଭାରତୀୟ ମହିଳା କ୍ରିକେଟର ନିୟମିତ ସଦସ୍ୟ ରହି ଆସିଥିବା ମିତାଲି ୨୦୨୨ ଜୁନ ୮ରେ ଅବସର ଘୋଷଣା କରିଥିଲେ। ତାଙ୍କ ଅବସର ସହ ଗୋଟିଏ ଯୁଗର ଅନ୍ତ ଘଟିଥିଲା। ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକର ୨୪ ବର୍ଷ ଧରି ଖେଳିଥିଲେ। ମିତାଲି ୨୩ ବର୍ଷ ଧରି କ୍ରିକେଟ ଖେଳି ମହିଳା କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ।
ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ଦିନିକିଆ ମ୍ୟାଚ୍ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି। ଏହା ମଧ୍ୟରେ ୬୪ ଅର୍ଦ୍ଧଶତକ ଓ ୭ ଶତକ ରହିଛି। ସେ ଭାରତ ପାଇଁ ୮୯ ଟି-୨୦ ଓ ୧୨ ଟେଷ୍ଟରେ ଯଥାକ୍ରମେ ୨୩୬୪ ରନ୍ ଓ ୬୯୯ ରନ କରିଛନ୍ତି।
୧୯୯୯ ମସିହା ଜୁନ୍ ମାସରେ ମିତାଲି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ କ୍ୟାପ୍ଟେନ ହୋଇଥିବା ମିତାଲି ଅନେକ ରେକର୍ଡର ଅଧିକାରୀ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଇଂଲଣ୍ଡ ଠାରୁ ଦଳ ହାରି ଯାଇଥିଲା। ୨୦୦୫ ମସିହା ଦିନିକିଆ ମହିଳା ବିଶ୍ୱକପ ଫାଇନାଲରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହି ସମୟରେ ମଧ୍ୟ ମିତାଲି ଦଳର କ୍ୟାପ୍ଟେନ ଥିଲେ।