
ଟୋକିଓ ପାରାଅଲମ୍ପିକ୍ସରେ ଜାରି ରହିଛି ଭାରତର ପଦକ ଯାତ୍ରା । ସେପଟେ ଆଜିଠୁ ଅଭିଯାନ ଆରମ୍ଭ କରିବାକୁ ଯ଼ାଉଛନ୍ତି ଓଡିଶାର ବ୍ୟାଡମିଂଟନ ତାରକା ପ୍ରମୋଦ ଭାଗବତ । ଅଷ୍ଟମ ଦିନରେ ମିକ୍ସଡ ଡବଲ ମୁକାବିଲାରେ ପ୍ରମୋଦ ପଲକ କୋହଲିଙ୍କ ସହିତ ଓଲ୍ଲାଇବେ କୋର୍ଟକୁ । ଅପରାହ୍ନ ୨ଟା ୩୦ ମିନିଟ୍ରେ ତାଙ୍କର ପ୍ରତିଯୋଗିତା ଆରମ୍ଭ ହେବାର ଅଛି । ସେହିପରି ସନ୍ଧ୍ୟାରେ ସିଙ୍ଗିଲ ବିଭାଗରେ ମନୋଜ ସରକାରଙ୍କୁ ଭେଟିବେ ପ୍ରମୋଦ । ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ପ୍ରମୋଦ ବର୍ତ୍ତମାନ ବିଶ୍ୱର ର୍ୟାଙ୍କର ଏକ ନମ୍ବରରେ ରହିଛନ୍ତି । ଚଳିତ ପାରାଅଲମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଥିବା ବେଳେ ପ୍ରମୋଦଙ୍କଠାରୁ ମଧ୍ୟ ଭାରତ ପଦକ ଆଶା ରଖିଛି । ଟିମ୍ ଇଣ୍ଡିଆର ଟୋକିଓ ପାରାଲିମ୍ପିକ୍ ୨୦୨୦ ଭାରତ ପାଇଁ ସବୁଠାରୁ ସଫଳ ଅଭିଯାନ ବୋଲି ପ୍ରମାଣିତ ହୋଇଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଟୋକିଓ ପାରାଲିମ୍ପିକ୍ସରେ ୧୦ ଟି ପଦକ ଜିତି ସାରିଛି । ଗତ ୨ ଦିନ ମଧ୍ୟରେ ୨ ଟି ସ୍ୱର୍ଣ୍ଣ ପଦକ ସମେତ ୭ ଟି ପଦକ ଜିତିଛି ଭାରତ । ସୁନୀଲ ଆଣ୍ଟିଲ ଏବଂ ଅବନୀ ଲେଖରା ଜିତିଥିବା ସ୍ୱର୍ଣ୍ଣ ପଦକ ଭାରତକୁ ବିଶ୍ୱ ସ୍ତରରେ ପ୍ରଶଂସିତ କରିଛି ।