୬ ହଜାର ଟଙ୍କା ଲାଞ୍ଚ ନେଇ ଜେଆରଏ ଗିରଫ

ଜମି ମ୍ୟୁଟେସନ୍ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟର ଜଣେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ (ଜେଆରଏ)ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ହେଲେ ବି.ଏଚ୍. ଉମାଶଙ୍କର।
ସୂଚନା ଅନୁସାରେ, ଜଣେ ଆବେଦନକାରୀ ଜୁନ୍ ୩ ତାରିଖରେ ଜମି ମ୍ୟୁଟେସନ୍ ପାଇଁ ଅନଲାଇନ୍ ଆବେଦନ କରିଥିଲେ। ମାମଲାର ସ୍ଥିତି ବିଷୟରେ ଜାଣିବାକୁ ଯିବା ପରେ ଜେଆରଏ ଫାଇଲ୍ ପ୍ରକ୍ରିୟାକରଣ ଓ ଆରଓଆର୍ ଜାରି କରିବା ପାଇଁ ୬ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ଆବେଦନକାରୀ ଭିଜିଲାନ୍ସକୁ ଜଣାଇବା ପରେ ଯୋଜନାବଦ୍ଧ ଭାବେ ଚଢ଼ଉ କରାଯାଇଥିଲା। ତହସିଲ କାର୍ଯ୍ୟାଳୟର ଗ୍ୟାରେଜ୍ରେ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଆୟବହିର୍ଭୂତ ସମ୍ପତ୍ତି ନେଇ ଅଭିଯୁକ୍ତଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଓ ତଲାସି ଜାରି ରହିଛି। ଏନେଇ ମାମଲା ରୁଜୁ କରି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।



