ଟ୍ରେନ୍ ଓ ଷ୍ଟେସନ୍ରେ ଅଳିଆ ପକାଇଲେ ଗଣିବେ ୧,୦୦୦ ଟଙ୍କା
ବଢ଼ିଲା ରେଳବାଇର ଜରିମାନା

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ରେଳଷ୍ଟେସନ୍ କିମ୍ବା ଚଳନ୍ତା ଟ୍ରେନ୍ରେ ଅଳିଆ ଫିଙ୍ଗିବା ଏଣିକି ମହଙ୍ଗା ପଡ଼ିବ। ଭାରତୀୟ ରେଳବାଇ ପରିଚ୍ଛନ୍ନତା ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦ୍ୱିଗୁଣିତ କରି ୧,୦୦୦ ଟଙ୍କା କରିଛି। ଅଗଷ୍ଟ ୨୪ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଏହି ବ୍ୟବସ୍ଥା ରେଳ ପରିସରରେ ପରିଚ୍ଛନ୍ନତା ନଷ୍ଟ କରୁଥିବା ବିଭିନ୍ନ କାର୍ଯ୍ୟ ଉପରେ ଲାଗୁ ହେବ।
ଷ୍ଟେସନ୍, ପ୍ଲାଟଫର୍ମ କିମ୍ବା ଟ୍ରେନ୍ ଭିତରେ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ ବା ସ୍ଥାନ ବ୍ୟତୀତ ଅଳିଆ ଫିଙ୍ଗିଲେ କିମ୍ବା ଛାଡ଼ିଗଲେ ୧,୦୦୦ ଟଙ୍କା ଜରିମାନା ହେବ। ପୂର୍ବରୁ ଏଥିପାଇଁ ୫୦୦ ଟଙ୍କା ଜରିମାନା ରହିଥିଲା।
କେବଳ ଆବର୍ଜନା ଫିଙ୍ଗିବା ନୁହେଁ, ରେଳ ପରିସରରେ ଅନୁମତି ନଥିବା ସ୍ଥାନରେ ରୋଷେଇ କରିବା, ଗାଧୋଇବା, ଛେପ ପକାଇବା, ପରିସ୍ରା କିମ୍ବା ମଳତ୍ୟାଗ କରିବା ମଧ୍ୟ ନିୟମ ଉଲ୍ଲଂଘନ ଭାବେ ଗଣାଯିବ। ଏଥିପାଇଁ ମଧ୍ୟ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ସେହିପରି ରେଳ ପରିସରରେ ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା, ଗାଡ଼ି କିମ୍ବା ବାସନକୁସନ ଧୋଇବା, କପଡ଼ା ସଫା କରିବା ଏବଂ ଅନୁମତି ବିନା ସାମଗ୍ରୀ ରଖିବା ଉପରେ ମଧ୍ୟ କଟକଣା ରହିଛି। ଟ୍ରେନ୍ କିମ୍ବା ରେଳ ପରିସରରେ ବିନା ଅନୁମତିରେ ପୋଷ୍ଟର ଲଗାଇବା, କାନ୍ଥରେ ସ୍ଲୋଗାନ୍ ବା ବାର୍ତ୍ତା ଲେଖିବା ଏବଂ ଚିତ୍ର ଆଙ୍କିବା ମଧ୍ୟ ଦଣ୍ଡନୀୟ ହେବ।
ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କଠାରୁ ଷ୍ଟେସନ୍ ମାଷ୍ଟର, ଷ୍ଟେସନ୍ ମ୍ୟାନେଜର, କମର୍ସିଆଲ୍ ବିଭାଗର ଟିକେଟ୍ କଲେକ୍ଟର ଏବଂ ରେଳବାଇ ଦ୍ୱାରା ଅଧିକୃତ ଅନ୍ୟ ଅଧିକାରୀ ଜରିମାନା ଆଦାୟ କରିପାରିବେ। ଜରିମାନା ଦେବାକୁ ମନା କଲେ ମାମଲା କୋର୍ଟକୁ ଯାଇପାରେ। ଏପରି କ୍ଷେତ୍ରରେ ସର୍ବାଧିକ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ଅନ୍ୟପକ୍ଷରେ, ରେଳଷ୍ଟେସନ୍ରେ ବ୍ୟବସାୟ କରୁଥିବା ଅଧିକୃତ ବିକ୍ରେତା ଓ ହକରଙ୍କ ପାଇଁ ମଧ୍ୟ ଆବର୍ଜନା ପରିଚାଳନାକୁ ନେଇ ନିୟମ ରହିଛି। ସେମାନଙ୍କୁ ନିଜ ବ୍ୟବସାୟସ୍ଥଳରେ ଡଷ୍ଟବିନ୍ ରଖିବା ସହ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପଡ଼ିବ।
ରେଳ ପରିସରକୁ ସ୍ୱଚ୍ଛ ରଖିବା ଏବଂ ଯାତ୍ରୀଙ୍କୁ ସୁସ୍ଥ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ରେଳବାଇ ଏହି ନିୟମକୁ କଡ଼ାକଡ଼ି କରିଛି। ତେଣୁ ଷ୍ଟେସନ୍ ହେଉ କି ଟ୍ରେନ୍, ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ଅପିଲ୍ କରାଯାଇଛି।



