Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟ ଯିବେ ଜଷ୍ଟିସ ଉପାଧ୍ୟାୟ, କଲେଜିୟମର ସୁପାରିସ

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛି ସର୍ବୋଚ୍ଚ ଅଦାଲତର କଲେଜିୟମ। ସୋମବାର ଜଷ୍ଟିସ ଉପାଧ୍ୟାୟଙ୍କ ସମେତ ୩ ଜଣ ହାଇକୋର୍ଟ ବିଚାରପତିଙ୍କ ନାମ ସୁପାରିସ କରାଯାଇଛି।

ଅନ୍ୟ ଦୁଇଜଣ ହେଲେ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁନୀତା ଅଗ୍ରୱାଲ ଏବଂ ତେଲଙ୍ଗାନା ହାଇକୋର୍ଟର ଜଷ୍ଟିସ ଅପରେଶ କୁମାର ସିଂହ। କଲେଜିୟମରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ସହ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ ଓ ଜଷ୍ଟିସ ପିଏସ୍‌ ନରସୀମା ରହିଛନ୍ତି।

୧୯୬୫ ଜୁନ୍ ୧୬ରେ ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ଜନ୍ମ ନେଇଥିବା ଜଷ୍ଟିସ ଉପାଧ୍ୟାୟ ୧୯୯୧ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ସେହି ବର୍ଷ ମେ’ ୧୧ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ। ୨୦୦୭ରେ ସେ ଉତ୍ତରପ୍ରଦେଶର ମୁଖ୍ୟ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତ ହୋଇଥିଲେ।

୨୦୧୧ ନଭେମ୍ବର ୨୧ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି କରାଯାଇଥିଲା। ପରେ ସେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୨୫ ଜାନୁଆରୀ ୨୧ରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

କଲେଜିୟମର ସୁପାରିସ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ। ଅନୁମୋଦନ ମିଳିବା ପରେ ତିନିଜଣଙ୍କ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ।

Show More

Related Articles

Back to top button