Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

ରେଣୁକାସ୍ୱାମୀ ହତ୍ୟା ମାମଲା: ଦର୍ଶନଙ୍କ ଆବେଦନ ଖାରଜ, ଅନୁମୋଦକ ସାକ୍ଷୀ ପ୍ରଦୋଷଙ୍କ ବୟାନ ରେକର୍ଡ

 

ବେଙ୍ଗାଲୁରୁ: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିଯୁକ୍ତରୁ ଅନୁମୋଦକ ସାକ୍ଷୀ ହୋଇଥିବା ପ୍ରଦୋଷଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ବେଙ୍ଗାଲୁରୁର ୫୯ତମ ସିଟି ସିଭିଲ୍ ଆଣ୍ଡ ସେସନ୍ସ କୋର୍ଟରେ ହାଜର କରାଯାଇଥିଲା। ଅଭିନେତା ଦର୍ଶନଙ୍କ ପକ୍ଷରୁ ପ୍ରଦୋଷଙ୍କ ବୟାନ ରେକର୍ଡକୁ ଦୁଇ ଦିନ ଘୁଞ୍ଚାଇବା ପାଇଁ ଦାଖଲ ହୋଇଥିବା ମେମୋକୁ କୋର୍ଟ ଖାରଜ କରିଛନ୍ତି।

ଦର୍ଶନଙ୍କ ଓକିଲ କହିଥିଲେ ଯେ, ପ୍ରଦୋଷଙ୍କୁ ଅନୁମୋଦକ ସାକ୍ଷୀ କରିବା ସମ୍ପର୍କିତ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତି ଚାଲିଛି। ତେଣୁ ବୟାନ ରେକର୍ଡ ପାଇଁ ସମୟ ଦିଆଯାଉ ବୋଲି ଦାବି କରାଯାଇଥିଲା। ପକ୍ଷରୁ ୧୧ ପୃଷ୍ଠାର ମେମୋ ମଧ୍ୟ ଦାଖଲ କରାଯାଇଥିଲା।

ତେବେ ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରସନ୍ନକୁମାର ଏହାକୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ମାମଲାର ଶୀଘ୍ର ବିଚାର ନିର୍ଦ୍ଦେଶ ଦେଇଥିବାରୁ ଆଉ ବିଳମ୍ବ ନକରି ଶୁଣାଣି ଆଗକୁ ବଢ଼ାଇବା ଆବଶ୍ୟକ ବୋଲି ସେ କହିଥିଲେ। ଏହାପରେ ବିଚାରପତି ସୁଜାତା ମାଦିଭଲାପ୍ପା ସମ୍ବ୍ରାଣୀ ଦର୍ଶନଙ୍କ ମେମୋ ଖାରଜ କରି ପ୍ରଦୋଷଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଜାରି ରଖିବାକୁ କହିଥିଲେ।

ପ୍ରଦୋଷ ପୂର୍ବରୁ ଏହି ମାମଲାର ୧୪ ନମ୍ବର ଅଭିଯୁକ୍ତ ଥିଲେ। ପରେ ସେ ଅନୁମୋଦକ ସାକ୍ଷୀ ହେବା ପାଇଁ ଆବେଦନ କରିଥିଲେ, ଯାହାକୁ ଟ୍ରାଏଲ୍ କୋର୍ଟ ଅନୁମତି ଦେଇଥିଲେ। ପ୍ରଦୋଷଙ୍କ ବୟାନ ଆଗାମୀ ଏକରୁ ଦୁଇ ଦିନ ମଧ୍ୟରେ ବିସ୍ତୃତ ଭାବେ ରେକର୍ଡ ହେବ ବୋଲି ଜଣାପଡ଼ିଛି।

୨୦୨୪ ଜୁନ୍‌ରେ ବେଙ୍ଗାଲୁରୁରେ ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ୱାମୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ତାଙ୍କୁ ଅପହରଣ କରି ମାଡ଼ ମାରିବା ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦର୍ଶନଙ୍କ ସମେତ ଅନେକ ଅଭିଯୁକ୍ତ ମୁକଦ୍ଦମାର ସମ୍ମୁଖୀନ ହେଉଛନ୍ତି।

Show More

Related Articles

Back to top button