ଦୁର୍ଗାପୂଜା ପୂର୍ବରୁ ବଙ୍ଗରେ ପୁଣି ବର୍ଷା, ବଙ୍ଗୋପସାଗରରେ ଲଘୁଚାପ

କୋଲକାତା: ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ବର୍ଷାର ସମ୍ଭାବନା ଦେଖାଦେଇଛି। ବଙ୍ଗୋପସାଗରରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟରେ ବର୍ଷା ବଢ଼ିପାରେ ବୋଲି ପାଣିପାଗ ବିଭାଗ ସୋମବାର ସୂଚନା ଦେଇଛି।
ଦକ୍ଷିଣ ଉପକୂଳ ମ୍ୟାଁମାର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ କିଛି ଦିନରେ ଏହା ଅବପାତର ରୂପ ନେଇ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିପାରେ। ଏହାର ସିଧାସଳଖ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିବାର ସମ୍ଭାବନା କମ୍ ଥିଲେ ମଧ୍ୟ, ଏହାର ଗତିପଥ ଅନୁସାରେ ରାଜ୍ୟର ପାଗ ଆଂଶିକ ଭାବେ ପ୍ରଭାବିତ ହୋଇପାରେ।
ଲଘୁଚାପ ପ୍ରଭାବରେ ମ୍ୟାଁମାର-ବାଂଲାଦେଶ ଉପକୂଳ ନିକଟ ପୂର୍ବ-ମଧ୍ୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ବେଳେବେଳେ ଏହା ୬୫ କିମି ପର୍ଯ୍ୟନ୍ତ ବଢ଼ିପାରେ। ତେଣୁ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ଉକ୍ତ ସମୁଦ୍ର ଅଞ୍ଚଳକୁ ମାଛଧରାଳିଙ୍କୁ ନଯିବା ପାଇଁ ସତର୍କ କରାଯାଇଛି।
ଗତ ସପ୍ତାହରେ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ତେବେ ଏହା ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି। ସୋମବାର କୋଲକାତାର ସର୍ବନିମ୍ନ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।



