ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଟେଲ୍ ଷ୍ଟ୍ରାଇକ୍
ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଗୁଆହାଟୀରୁ ବେଙ୍ଗାଲୁରୁ ଆସୁଥିବା ଇଣ୍ଡିଗୋର ଏକ ବିମାନ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନ୍ୱେ ସହ ଅସ୍ୱାଭାବିକ ସଂସ୍ପର୍ଶର ସମ୍ମୁଖୀନ ହୋଇଛି। ବିମାନର ଲାଞ୍ଜ ରନ୍ୱେରେ ଘଷି ହୋଇଥିବା ନେଇ ସୂଚନା ମିଳିଛି। ଘଟଣାରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଇଣ୍ଡିଗୋର ୬ଇ ୬୫୪୨ ବିମାନ ପ୍ରଥମେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ତେବେ ପ୍ରବଳ ପବନ ଯୋଗୁଁ ପାଇଲଟ୍ଙ୍କୁ ଗୋ-ଆରାଉଣ୍ଡ କରିବାକୁ ପଡ଼ିଥିଲା। ଦ୍ୱିତୀୟ ଥର ଅବତରଣ ସମୟରେ ବିମାନର ଲାଞ୍ଜ ରନ୍ୱେ ସହ ଧକ୍କା ହୋଇଥିବା ଜଣାପଡ଼ିଛି।
ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଗୁଆହାଟୀ-ବେଙ୍ଗାଲୁରୁ ବିମାନଟି ପ୍ରବଳ ପବନ ମଧ୍ୟରେ ଅବତରଣ କରୁଥିବା ବେଳେ ‘ଅସ୍ୱାଭାବିକ ରନ୍ୱେ ସଂସ୍ପର୍ଶ’ ଘଟିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ। ବିମାନଟିକୁ ଯାଞ୍ଚ ଓ ରକ୍ଷଣାବେକ୍ଷଣ ପାଇଁ ରଖାଯାଇଛି।
ଘଟଣା ପରେ ବିମାନର ପରବର୍ତ୍ତୀ ବେଙ୍ଗାଲୁରୁ-କୋଏମ୍ବାଟୁର ଉଡ଼ାଣ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି। ଇଣ୍ଡିଗୋ କହିଛି, ଆବଶ୍ୟକ ଅନୁମତି ମିଳିବା ପରେ ହିଁ ବିମାନଟି ପୁଣି ଚଳାଚଳ କରିବ।
ଏହାର ଏକ ସପ୍ତାହ ପୂର୍ବରୁ ୨୫୦ରୁ ଅଧିକ ଯାତ୍ରୀ ଥିବା ଇଣ୍ଡିଗୋର ଏକ ବୋଇଂ ୭୮୭-୯ ଡ୍ରିମଲାଇନର୍ ଲଣ୍ଡନରୁ ଦିଲ୍ଲୀ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହିଥ୍ରୋ ବିମାନବନ୍ଦରକୁ ଫେରିଥିଲା। ପାଇଲଟ୍ମାନେ ବିମାନରେ ଧୂଆଁ ଥିବା ଜାଣିବା ପରେ ଜରୁରୀକାଳୀନ ଅବତରଣ କରାଇଥିଲେ। ସେହି ଘଟଣାରେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଥିଲେ।



