ଏନ୍ଡିଏକୁ ଯିବୁନି, ଆସିବାକୁ ଚାହୁଁଥିଲେ ଆମ ସହ ଆସ: ଶରଦ ପାୱାର

ମୁମ୍ବାଇ: ଏନ୍ଡିଏ ସହ ଯିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଏନ୍ସିପି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର। ସୋମବାର ମୁମ୍ବାଇରେ ଦଳୀୟ କର୍ମୀ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ଦଳ କୌଣସି ଦିଗକୁ ଯିବ ନାହିଁ। ଯେଉଁମାନେ ତାଙ୍କ ସହ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରନ୍ତି ବୋଲି ପାୱାର କହିଛନ୍ତି।
ଗତ କିଛି ମାସ ଧରି ଶରଦ ପାୱାରଙ୍କ ଏନ୍ସିପି ଏନ୍ଡିଏରେ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାୱାରଙ୍କ ସାକ୍ଷାତ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଏହାସହ ଶରଦ ପାୱାର ଓ ଅଜିତ ପାୱାରଙ୍କ ଦଳ ମଧ୍ୟରେ ମିଶ୍ରଣ ନେଇ ମଧ୍ୟ ଆଲୋଚନା ହେଉଥିଲା।
ତେବେ ଦଳୀୟ ବୈଠକରେ ପାୱାରଙ୍କ ବୟାନ ପରେ ଏହି ସମ୍ଭାବନା ଉପରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଓ ଚାଷୀଙ୍କ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ପାୱାର କହିଛନ୍ତି, ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖାଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ଦାବିଗୁଡ଼ିକ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ଦାବି ପୂରଣ ନହେଲେ ଦଳ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।



