Breaking PLUSଦେଶମୁଖ୍ୟ ଖବର

ଅରୁଣାଚଳରେ ବନ୍ୟାରେ ନିଖୋଜ ୩ ଅଗ୍ନିବୀର ମୃତ

ଡିଏନ୍‌ଏ ପରୀକ୍ଷାରେ ମିଳିଲା ପରିଚୟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଉପତ୍ୟକାରେ ଅଗଷ୍ଟ ୧୪ରେ ବନ୍ୟା ଓ ଭୂସ୍ଖଳନ ପରେ ନିଖୋଜ ହୋଇଥିବା ୩ ଜଣ ଭାରତୀୟ ସେନା ଅଗ୍ନିବୀରଙ୍କୁ ମୃତ ଘୋଷଣା କରାଯାଇଛି। ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ସେମାନଙ୍କ ପରିଚୟ ନିଶ୍ଚିତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

ମୃତ ଅଗ୍ନିବୀରମାନେ ହେଲେ ବିହାରର ବୈଶାଳୀର ଆଦିତ୍ୟ କୁମାର, ଉତ୍ତରପ୍ରଦେଶର ଔରେୟାର ବିନୋଦ ଯାଦବ ଏବଂ ବିହାରର କୁନ୍ଦନ କୁମାର। ଦିବାଙ୍ଗ ଅଞ୍ଚଳରେ ମେଘଫଟା ବର୍ଷା ପରେ ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ଆସିବାରୁ ସେମାନେ ନିଖୋଜ ହୋଇଥିଲେ।

କିଛି ଦିନ ପରେ ମିଳିଥିବା ମୃତଦେହର ଡିଏନ୍‌ଏ ପରୀକ୍ଷା କରାଯାଇ ପରିଚୟ ନିଶ୍ଚିତ କରାଯାଇଥିଲା। ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଶନିବାର ସେମାନଙ୍କ ଅସ୍ଥିକଳସ ନିଜ ନିଜ ଗାଁରେ ପହଞ୍ଚିଛି।

ଆଦିତ୍ୟ କୁମାରଙ୍କ ଶେଷକୃତ୍ୟ ଅରୁଣାଚଳ ପ୍ରଦେଶରେ ପୂର୍ଣ୍ଣ ସାମରିକ ସମ୍ମାନ ସହ କରାଯାଇଥିଲା। ପରେ ତାଙ୍କ ଅସ୍ଥି ଜନ୍ମମାଟିକୁ ନିଆଯାଇଥିଲା। ତାଙ୍କ ସମ୍ମାନରେ ଗ୍ରାମବାସୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍‌ ଭି.ଏମ୍‌.ବି. କୃଷ୍ଣନଙ୍କ ସମେତ ସେନାର ସମସ୍ତ ଅଧିକାରୀ ଓ ଯବାନ ୩ ଅଗ୍ନିବୀରଙ୍କ ବଳିଦାନକୁ ସ୍ମରଣ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। କର୍ତ୍ତବ୍ୟ ପାଳନ ବେଳେ ୩ ଯବାନ ସାହସର ସହ ସର୍ବୋଚ୍ଚ ବଳିଦାନ ଦେଇଥିବା ସେନା କହିଛି।

Show More

Related Articles

Back to top button