୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର- ୨୪ ଘଣ୍ଟାରେ ଲଘୁଚାପ I ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ତାହା ଘନୀଭୂତ ହେବ।
ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇପାରେ। ସମ୍ଭାବ୍ୟ ଅବପାତ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ, କେଉଁଆଡ଼କୁ ତାହା ମୁହଁାଇବ, ଓଡ଼ିଶାର କେଉଁ ଜିଲାରେ କେତେ ପରିମାଣ ବର୍ଷା ହେବ ତାକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଶନିବାର ଲଘୁଚାପ ସୃଷ୍ଟି ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ତାମିଲନାଡୁ, କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କିନ୍ତୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡେଲକୁ ତର୍ଜମା କରି କହିଛନ୍ତି, ବର୍ତ୍ତମାନ ଚିତ୍ର ଦେଖିଲେ ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କା ରହିଛି।


