
ଭାରତରେ କରୋନା ଗ୍ରାଫ କମୁଥିଲେ ବି କେରଳ ଓ ମହାରାଷ୍ଟ୍ରର ସ୍ଥିତି ଚିନ୍ତାଜନକ ରହିଛି। ଏବେବି ଏହି ଦୁଇ ରାଜ୍ୟରେ ଲକ୍ଷେରୁ ଅଧିକ ସଂକ୍ରମିତ ଅଛନ୍ତି। ତେବେ ମହାରାଷ୍ଟ୍ର ଠାରୁ କେରଳରେ ଅଧିକ ସଂଖ୍ୟକ ସଂକ୍ରମିତ ରୋଗୀ ବଢୁଛନ୍ତି। କେରଳରେ ଗତ ୧୫ ଦିନରେ ଦୈନିକ ଦଶରୁ ୧୫ ହଜାର ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ମୃତ୍ୟୁହାର ମହାରାଷ୍ଟ୍ର ଠାରୁ କମ ରହିଛି। କେରଳର ସ୍ଥିତି ଦେଖି କେନ୍ଦ୍ର ସେଠାକୁ ସ୍ବତନ୍ତ୍ର ଟିମ୍ ପଠାଇଛି। ଅନ୍ୟ ରାଜ୍ୟରେ ସଂକ୍ରମଣ ଗ୍ରାଫ ଦ୍ରୁତ ହ୍ରାସ ପାଉଥିବା ବେଳେ କେରଳରେ କାହିଁକି ସ୍ଥିର ରହୁଛି ଏହାକୁ ନେଇ ଏହି ଟିମ୍ ତର୍ଜମା ଆରମ୍ଭ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଦେଶର ୧୭ଟି ରାଜ୍ୟର ୬୬ ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ମନ୍ତ୍ରଣାଳୟର କହିଛି ଯେ ଗତ ସପ୍ତାହ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୦% ମହାରାଷ୍ଟ୍ର ଓ କେରଳରୁ ବାହାରିଛନ୍ତି। ମହାରାଷ୍ଟ୍ରରୁ ୨୧% ଓ କେରଳରୁ ୩୨% ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହେବାର ସୂଚନା ମିଳିଛି।କେରଳରେ ଶୁକ୍ରବାର ୧୩,୫୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧୦.୪ ପ୍ରତିଶତ ରହିଛି। ରାଜ୍ୟର ୧୪ଟି ଜିଲାରୁ ୭ଟି ଜିଲାରେ ୧୦୦୦ରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କେରଳରେ ଜିକା ଚିହ୍ନଟ ହେବା ଆଉ ଏକ ଚିନ୍ତାର କାରଣ ହେଲାଣି। ଏକ ୨୪ ବର୍ଷିୟା ଗର୍ଭବତୀ ମହିଳାଙ୍କ ଠାରେ ଜିକା ଚିହ୍ନଟ ହୋଇଛି। ଯଦିଓ କରୋନା ଭଳି ଜିକା ଏତେ ବିପଦଜନକ ନୁହେଁ ତଥାପିବି ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି। ଅନ୍ୟପକ୍ଷରେ ଡେଲଟା ଓ ଡେଲଟା ପ୍ଲସ୍ ପ୍ରଜାତିର କରୋନା ଭୂତାଣୁ ପରେ ଆଉ ଦୁଇଟି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି।
ଏହି ଦୁଇଟି ପ୍ରଜାତି ହେଲା କାପ୍ପା ଓ ଲାମ୍ବଡା। ଉତ୍ତରପ୍ରଦେଶରେ କାପ୍ପା ପ୍ରଜାତିରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଇଂଲଣ୍ଡ ସ୍ବାସ୍ଥ୍ୟ ବିଭାଗ ଲାମ୍ବଡା ପ୍ରଜାତିର ଭୂତାଣୁକୁ ଚିହ୍ନଟ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ପ୍ରଜାତିର ଭୂତାଣୁକ ନେଇ ଚିନ୍ତା ପ୍ରକାଶ କରିଛି।ତୃତୀୟ ଲହର ଆସିବା ନେଇ ଭାରତ ସରକାର ପ୍ରସ୍ତୁତିକୁ ତ୍ବରାନ୍ବିତ କରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ଓ ୟୁରୋପର କିଛି ଦେଶରେ ତୃତୀୟ ଲହର ଚିନ୍ତାଜନକ ହେଲାଣି। ତୃତୀୟ ଲହରର ମୁଖ୍ୟ କାରଣ ହୋଇଛି କରୋନାର ଡେଲଟା ଭ୍ୟାରିଆଣ୍ଟ। ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ସେଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସ୍ଥିତିକୁ ଆସିଗଲାଣି। ତେଣୁ ଦକ୍ଷିଣ ଆଫ୍ରିକା ସରକାର ଟିକାକରଣକୁ ତ୍ବରାନ୍ବିତ କରିଛନ୍ତି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମାତ୍ର ୬ ପ୍ରତିଶତ ଲୋକ ଟିକା ନେଇଛନ୍ତି। ଆଫ୍ରିକର ୩୭ ପ୍ରତିଶତ ରୋଗୀ ଏବେ କେବଳ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ଡେଲ୍ ଟା ଭ୍ୟାରିଏଣ୍ଟ ଯୋଗୁଁ କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। ସେପଟେ ଆମେରିକାରେ ମଧ୍ୟ ଡେଲ୍ ଟା ଭ୍ୟାରିଆଣ୍ଟ ଚିନ୍ତାଜନକ ହେଲାଣି। ବ୍ୟାପକ ଟିକାକରଣ ପରେ ବି ଏବେ ବହୁ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେୁଛନ୍ତି। ଏଥିରୁ ଅଧା ହେଉଛନ୍ତି ଡେଲଟା ଭ୍ୟାରିଆଣ୍ଟ ରୋଗୀ।