
ହିଙ୍ଗୁଳା ଯାତ୍ରା ସମୟରେ ରବିବାର ଏକ ଦୁଃଖଦ ଅଘଟଣ ଘଟିଛି। ଯାତ୍ରା ପଡିଆରେ ଲାଗିଥିବା ଏକ ଡ୍ରାଗନ ଦୋଳି ଛିଡି ପଡିବାରୁ ଅତି କମରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି।
ଘଟଣା ପରେ ତୁରନ୍ତ ଆହତମାନଙ୍କୁ ପବିତ୍ର ମୋହନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ ସେମାନଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିର ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅପରାହ୍ଣ ସମୟରେ ଡ୍ରାଗନ ଦୋଳିରେ ୨୦ରୁ ଅଧିକ ଦର୍ଶକ ବସିଥିଲେ। ଦୋଳିଟି ଚାଲୁଥିବାବେଳେ ହଠାତ୍ ପ୍ରାୟ ୧୦ ଫୁଟ୍ ଉଚ୍ଚତାରୁ ତଳକୁ ଖସି ପଡିଥିଲା। ଫଳରେ ଦୋଳିରେ ବସିଥିବା ସମସ୍ତେ ତଳକୁ ପଡିଯାଇଥିଲେ।
ଏହି ଘଟଣା ପରେ ମେଳା ପଡିଆରେ ଆତଙ୍କ ଖେଳିଯାଇଥିଲା। ଶହଶହ ଦର୍ଶକ ଭୟଭୀତ ହୋଇ ଏକାଠି ଦୌଡିବାକୁ ଲାଗିଥିଲେ, ସେଥିପାଇଁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ସମୟରେ ସୁରକ୍ଷାକର୍ମୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଆହତମାନଙ୍କୁ ଉଦ୍ଧାର କରିଥିଲେ।

ଉଲ୍ଲେଖଯୋଗ୍ୟ, ତାଳଚେରରେ ଚାଲିଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛି। ମେଳାରେ ମୀନାବଜାର ସହ ଅନେକ ଦୋଳି ଲାଗିଥିବାରୁ ଭିଡ଼ ଆହୁରି ବଢ଼ୁଛି।
ଘଟଣା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସମସ୍ତ ଦୋଳି ଉପରେ କଡା ନିରୀକ୍ଷଣ ଆରମ୍ଭ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ହେବା ପର୍ଯ୍ୟନ୍ତ କିଛି ଦୋଳି ଚଳାଇବା ଉପରେ ନିଷେଧାଦେଶ ମଧ୍ୟ ଜାରି କରାଯାଇଛି। ଏହି ଘଟଣା ପରେ ମେଳାରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିବା ବେଳେ, ଏପରି ଅଘଟଣ ଆଗକୁ ନ ଘଟେ ସେଥିପାଇଁ କଡା ପଦକ୍ଷେପ ନେବାକୁ ଦାବି ହେଉଛି।



