
ପୁରୀ : ପୁରୀ ଜିଲ୍ଲାରେ ପର୍ଯ୍ୟଟନ ବିକାଶକୁ ଆଉ ଗତି ଦେବା ପାଇଁ ମଙ୍ଗଳା ନଦୀ ମୁହାଣ ନିକଟ ବେଳାଭୂମିରେ ‘ଶ୍ରୀବିଚ୍’ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୮ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି।
ରାଜ୍ୟ ସରକାର ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ନୂତନ ଭିତ୍ତିଭୂମି ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ‘ଶ୍ରୀବିଚ୍’ ପ୍ରକଳ୍ପକୁ ୧୬ ମାସ ମଧ୍ୟରେ ସମାପ୍ତ କରିବାକୁ ଟେଣ୍ଡରରେ ସମୟସୀମା ଧାର୍ଯ୍ୟ କରାଯାଇଛି।
ପ୍ରକଳ୍ପରେ ଓଡ଼ିଆ କଳା ଓ କାରୁକାର୍ଯ୍ୟର ଆଧାରରେ ସ୍ଥାପତ୍ୟ ଗଠନ କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ କାଫେ, ବସିବା ବ୍ୟବସ୍ଥା, ଯୋଗ ଜୋନ୍ ସହ ଅନେକ ସୁବିଧା ରହିବ। ଏହାସହିତ ଶୌଚାଳୟ ଓ ପୋଷାକ ପରିବର୍ତ୍ତନ ଗୃହ ମଧ୍ୟ ତିଆରି କରାଯିବ।
ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯିବା ସହିତ ଛୋଟ ପିଲାମାନଙ୍କ ପାଇଁ ଶିଶୁ ଉଦ୍ୟାନ ଓ ପରିବେଶ ଅନୁକୂଳ ପ୍ଲେ ଜୋନ୍ ନିର୍ମାଣ ହେବ। ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ ସେଲ୍ଫି ଜୋନ୍, ବିଶ୍ରାମ ବ୍ୟବସ୍ଥା, ପାନୀୟ ଜଳ ଓ ଭିଜିଟର ସେଣ୍ଟର ମଧ୍ୟ ରହିବ।
ଏହାସହିତ ପୁରୀ ବେଳାଭୂମିକୁ ଭିନ୍ନ-ଭିନ୍ନ ଜୋନ୍ରେ ବିଭକ୍ତ କରି ସମଗ୍ର ଉନ୍ନୟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ଶା ଖଣି ନିଗମ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।
ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ମଙ୍ଗଳା ମୁହାଣ ନିକଟର ବେଳାଭୂମିର ସମଗ୍ର ବିକାଶ କରାଯିବ। ବର୍ତ୍ତମାନ ପ୍ରକଳ୍ପର ଡିପିଆର୍ (DPR) ପ୍ରସ୍ତୁତ ହୋଇସାରିଛି।
ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ପୁରୀର ପର୍ଯ୍ୟଟନ ଆକର୍ଷଣ ଆହୁରି ବଢ଼ିବା ସହିତ ଦେଶ-ବିଦେଶର ପର୍ଯ୍ୟଟକମାନେ ଏକ ନୂଆ ଅନୁଭୂତି ଲାଭ କରିପାରିବେ ବୋଲି ଆଶା କରାଯାଉଛି।


