
ମୟୁରଭଞ୍ଜ ଜିଲ୍ଲାରେ ଘଟିଥିବା ଘୂର୍ଣ୍ଣିଝଡ଼ ପରବର୍ତ୍ତୀ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପରିସ୍ଥିତିର ସମୀକ୍ଷା କରି ତ୍ୱରିତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୧୫ ମାର୍ଚ୍ଚରେ କରଞ୍ଜିଆ ବ୍ଲକର କିଛି ଅଞ୍ଚଳ ଘୂର୍ଣ୍ଣିବାତ୍ୟାରେ ପ୍ରଭାବିତ ହୋଇଥିଲା। ପ୍ରଭାବିତ ୯ଟି ଗାଁ ପାଇଁ ୯ଜଣ ଅଧିକାରୀଙ୍କୁ ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ କରାଯାଇ ସ୍ଥିତିର ନିକଟ ନିରୀକ୍ଷଣ ଓ ସହାୟତା କାର୍ଯ୍ୟ ସୁନିଶ୍ଚିତ କରାଯାଇଛି।
ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ, ୫ଟି ଗ୍ରାମ ପଞ୍ଚାୟତର ୯ଟି ଗ୍ରାମର ୩,୨୧୭ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୨,୨୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୬ଟି ରିଲିଫ୍ ସେଣ୍ଟରରେ ଆଶ୍ରୟ ଓ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି।
ଘୂର୍ଣ୍ଣିଝଡ଼ରେ ପ୍ରାୟ ୫୧୨ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସହ ପଲିଥିନ୍ ସିଟ୍ ବଣ୍ଟନ, ପାନୀୟ ଜଳ ଯୋଗାଣ ଓ ଚିକିତ୍ସା ସେବା ଜାରି ରହିଛି। ୨ଟି ଡାକ୍ତରୀ ଦଳ ଓ ୪ଟି ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି।
ରାଜ୍ୟ ସରକାର ପକ୍ଷରୁ ବିପର୍ଯ୍ୟୟ ପାଣ୍ଠିରୁ ୫.୭୦ କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିବାବେଳେ କ୍ଷୟକ୍ଷତି ଆକଳନ କାମ ଜାରି ରହିଛି। ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାରେ ସରକାର ପ୍ରତିବଦ୍ଧ ବୋଲି ବୈଠକରେ ଜଣାପଡ଼ିଛି।



