
ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋହନ ମାଝୀ ସରକାର ଦ୍ୱିତୀୟ ବାର୍ଷିକୀକୁ ସାଧାରଣ ଓ ସରଳ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ, ବଡ଼ ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ପରିବର୍ତ୍ତେ ଗତ ଦୁଇ ବର୍ଷରେ ସରକାରଙ୍କ ସଫଳତା ଓ ଲୋକକଲ୍ୟାଣମୂଳକ ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ।
ସୂଚନା ଅନୁସାରେ, ଜୁନ ୧୨ ତାରିଖରେ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ପାଳନ ହେବ। ଏହା ସହିତ ଜୁନ ୧୨ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମଗୁଡ଼ିକୁ “ଶକ୍ତି ଓଡ଼ିଶା”, “ସମୃଦ୍ଧ କୃଷି ଓଡ଼ିଶା”, “ସୁସ୍ଥ ଓଡ଼ିଶା”, “ନିର୍ମାଣ ଓଡ଼ିଶା”, “ଉତ୍କର୍ଷ ଓଡ଼ିଶା”, “ଜନଶକ୍ତି ଓଡ଼ିଶା” ଓ “କୌଶଳ ଓଡ଼ିଶା” ଭଳି ସାତଟି ବିଷୟ ଆଧାରରେ ପରିଚାଳିତ କରାଯିବ। ୨୦୨୬ ରୁ ୨୦୩୬ ପର୍ଯ୍ୟନ୍ତ ରାଜ୍ୟର ଉନ୍ନୟନ ରୂପରେଖା ମଧ୍ୟ ଏଥିରେ ସାମିଲ ହେବ।
ମୁଖ୍ୟମନ୍ତ୍ରୀ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ସଫଳତାକୁ ବ୍ୟାପକ ପ୍ରଚାର କରିବାକୁ କହିଥିଲେ। ସେହିପରି ପ୍ରତ୍ୟେକ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ବିଭାଗର ଦୁଇ ବର୍ଷର କାର୍ଯ୍ୟସଫଳତା ନେଇ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭାଗୀୟ ସଫଳତା ପୁସ୍ତିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପଦ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।



