Breaking PLUSଆଇନ କାନୁନଦୁର୍ଘଟଣା

ସମୁଦ୍ରରେ ନିଖୋଜ MV ଓସେନ ୱିନର: ୨୨ ନାବିକଙ୍କ ପତ୍ତା ନାହିଁ, ବଢ଼ୁଛି ରହସ୍ୟ

ପାରାଦୀପ: ପାରାଦୀପ ଉପକୂଳରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ନିଖୋଜ ହୋଇଥିବା ବିଶାଳ ମାଲବାହୀ ଜାହାଜ MV ଓସେନ ୱିନରକୁ ନେଇ ରହସ୍ୟ ଘନୀଭୂତ ହେବାରେ ଲାଗିଛି। ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଜାହାଜ କିମ୍ବା ଏଥିରେ ଥିବା ୨୨ ଜଣ କ୍ରୁ ସଦସ୍ୟଙ୍କ ସମ୍ପର୍କରେ ଏଯାଏ ସ୍ପଷ୍ଟ ସନ୍ଧାନ ମିଳିନାହିଁ।

ପାରାଦୀପରୁ ପ୍ରାୟ ୭୨ ହଜାର ଟନ୍‌ ଲୁହାପଥର ଗୁଣ୍ଡ ନେଇ ସିଙ୍ଗାପୁର ଅଭିମୁଖେ ଯାଉଥିବା ଏହି ଜାହାଜ ହଠାତ୍‌ ନିଖୋଜ ହୋଇଥିଲା। ପ୍ରାୟ ୭୫୦ ଫୁଟ ଲମ୍ବା ଏହି ବିଶାଳ ଜାହାଜର ଏଯାଏ ଠାବ ନହେବା ଉଦ୍ଧାରକାରୀ ଦଳ ଓ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ଜାହାଜଟି ସମୁଦ୍ର ପୃଷ୍ଠରୁ ପ୍ରାୟ ଅଢ଼େଇ କିଲୋମିଟର ତଳକୁ ବୁଡ଼ି ସମୁଦ୍ରଶଯ୍ୟାରେ ପହଞ୍ଚିଥିବା ସମ୍ଭାବନା ମଧ୍ୟ ପ୍ରକାଶ କରାଯାଉଛି।

ନିଖୋଜ ନାବିକମାନଙ୍କୁ ଖୋଜିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଜାହାଜ ‘ବିଶ୍ୱସ୍ତ’ ସମେତ ଏକାଧିକ ଜାହାଜ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ହୋଇଛି। ଚୀନ୍‌ର ଦୁଇଟି ଜାହାଜ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛି। ତେବେ ଅଭିଯାନ ସମୟରେ MV ଓସେନ ୱିନରର ଏକ ଲାଇଫ୍‌ବୋଟ୍‌ ମିଳିଥିଲେ ମଧ୍ୟ ସେଥିରେ କୌଣସି କ୍ରୁ ସଦସ୍ୟ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଜାହାଜରେ ଲୋଡ୍‌ ହୋଇଥିବା ଲୁହାପଥର ଗୁଣ୍ଡର ଅବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶୁଖିଲା ଲୁହାଗୁଣ୍ଡ ବଦଳରେ ଓଦା କିମ୍ବା ଅର୍ଦ୍ଧତରଳ ଅବସ୍ଥାରେ ମାଲ୍‌ ଲୋଡ୍‌ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହାର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଜାହାଜ ବୁଡ଼ିବା ପଛରେ ମାଲ୍‌ ଲୋଡିଂ, ଜାହାଜର ସୁରକ୍ଷା ବ୍ୟବସ୍ଥା କିମ୍ବା ଅନ୍ୟ କୌଣସି କାରଣ ରହିଛି କି, ତାହା ନେଇ ତଦନ୍ତ ଆରମ୍ଭ ହେବା ଅପେକ୍ଷାରେ ରହିଛନ୍ତି ସମସ୍ତେ। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ଓ ଜାହାଜର ନିଖୋଜ ହେବା ପଛର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ।

Show More

Related Articles

Back to top button