
ଭୁବନେଶ୍ଵର: ନୟାଗଡ଼ବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବିଶ୍ୱପ୍ରସିଦ୍ଧ ନୟାଗଡ଼ର ପ୍ରସିଦ୍ଧ ମିଠା ଛେନାପୋଡ଼ ଖୁବ୍ଶୀଘ୍ର GI (Geographical Indication) ଟ୍ୟାଗ୍ ମାନ୍ୟତା ପାଇପାରେ ବୋଲି ସୂଚନା ମିଳିଛି।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଏନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଆସନ୍ତା ମେ ୨୮ ଓ ୨୯ ତାରିଖରେ ହେବାକୁ ଥିବା ବୈଠକରେ ଏହା ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଏହି ଦାବିକୁ ଶକ୍ତିଶାଳୀ କରିବା ପାଇଁ ସାଂସଦ ସମ୍ବିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ଏହି ମଧ୍ୟରେ, ଗତ ଶନିବାର ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁ ଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଇଥିଲା, ଯାହା ଏହି ମିଠାର ଲୋକପ୍ରିୟତାକୁ ଆହୁରି ପ୍ରମାଣ କରିଛି।
ଉଲ୍ଲେଖଯୋଗ୍ୟ, ଛେନାପୋଡ଼ ହେଉଛି ଓଡ଼ିଶାର ଏକ ପାରମ୍ପରିକ ମିଠା, ଯାହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ପ୍ରସ୍ତୁତ ହୁଏ। ‘ଛେନାପୋଡ଼’ ଶବ୍ଦର ଅର୍ଥ ହେଉଛି ପୋଡ଼ି ତିଆରି କରାଯାଇଥିବା ଛେନା, ଯାହା ଏହାକୁ ଅନ୍ୟ ମିଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ।
GI ଟ୍ୟାଗ୍ ମିଳିଲେ ନୟାଗଡ଼ ଛେନାପୋଡ଼ର ଅସଲିୟତା ଓ ପରିଚୟକୁ ଆନ୍ତର୍ଜାତୀୟ ସ୍ତରରେ ଆହୁରି ମଜବୁତ କରିବ, ସେଥିସହିତ ସ୍ଥାନୀୟ ମିଠା ବ୍ୟବସାୟୀମାନେ ମଧ୍ୟ ବହୁତ ଲାଭାନ୍ବିତ ହେବେ।



