ମୁଖ୍ୟ ଖବରଶିକ୍ଷା

ଝାରଖଣ୍ଡରେ ଓଡ଼ିଆ ସିଲାବସ୍‌କୁ ନିଜସ୍ୱ ଲିପିରେ ପୁନଃପ୍ରକାଶ ପାଇଁ ଓଡ଼ିଶାର ଦାବି

ଝାରଖଣ୍ଡ ଟିଚର୍‌ ଏଲିଜିବିଲିଟି ଟେଷ୍ଟ (JHTET) ୨୦୨୬ ପାଇଁ ପ୍ରକାଶିତ ଓଡ଼ିଆ ଭାଷା ସିଲାବସ୍‌କୁ ଦେବନାଗରୀ ଲିପିରେ ଦେଖାଯାଇଥିବାରୁ ଓଡ଼ିଶା ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନିଜସ୍ୱ ଓଡ଼ିଆ ଲିପିରେ ପୁନଃପ୍ରକାଶ କରିବା ପାଇଁ ଓଡ଼ିଶା ପକ୍ଷରୁ ଝାରଖଣ୍ଡ ସରକାରଙ୍କୁ ଔପଚାରିକ ଅନୁରୋଧ କରାଯାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଝାରଖଣ୍ଡ ଆକାଡେମିକ୍ କାଉନ୍ସିଲ୍‌କୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ, ଓଡ଼ିଆ ଭାଷାର ନିଜସ୍ୱ ଲିପି ରହିଛି ଏବଂ ଏହା ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀଭୁକ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ। ଏହା ସହିତ ଦେଶର ଶାସ୍ତ୍ରୀୟ ଭାଷାମାନଙ୍କ ମଧ୍ୟରେ ମଧ୍ୟ ଓଡ଼ିଆର ସ୍ଥାନ ରହିଛି। ଏହି ପରିପ୍ରେକ୍ଷିତରେ ଦେବନାଗରୀ ଲିପିରେ ସିଲାବସ୍‌ ପ୍ରକାଶ କରାଯିବାକୁ “ଦୁଃଖଦ” ବୋଲି ଉଲ୍ଲେଖ କରାଯାଇଛି।
ଚିଠିରେ ଆହୁରି କୁହାଯାଇଛି ଯେ, ଅନ୍ୟ ଭାଷାମାନଙ୍କ ପରି ଓଡ଼ିଆକୁ ମଧ୍ୟ ସମାନ ସମ୍ମାନ ଓ ମର୍ଯ୍ୟାଦା ଦିଆଯିବା ଉଚିତ। ଉଦାହରଣ ସ୍ୱରୂପ, ବଙ୍ଗଳା ଭାଷାର ସିଲାବସ୍‌ ସଠିକ୍ ଭାବେ ତାହାର ନିଜସ୍ୱ ଲିପିରେ ପ୍ରକାଶିତ ହୋଇଥିବାକୁ ଉଲ୍ଲେଖ କରି ଏହାକୁ ଅନୁସରଣ କରିବାକୁ ଅନୁରୋଧ ଜଣାଇଯାଇଛି।
ଏହି ପ୍ରସଙ୍ଗ ଝାରଖଣ୍ଡର ସରାଇକେଲା ଖରସୁଆଁ ଜିଲ୍ଲାର କିଛି ସଚେତନ ବ୍ୟକ୍ତିଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଥିଲା। ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଓଡ଼ିଆ ସିଲାବସ୍‌କୁ ତୁରନ୍ତ ନିଜସ୍ୱ ଲିପିରେ ପୁନଃପ୍ରକାଶ କରିବା, ଓଡ଼ିଆରେ ମଡେଲ୍‌ ପ୍ରଶ୍ନପତ୍ର ଜାରି କରିବା ଓ ପାଠ୍ୟବସ୍ତୁରେ ଯଥାଯଥ ଗଦ୍ୟ-ପଦ୍ୟ ସମ୍ମିଳନ କରିବାକୁ ଦାବି କରିଥିଲେ।
ଏହି ଘଟଣାକୁ ନେଇ ଭାଷା ଓ ସଂସ୍କୃତି ସୁରକ୍ଷା ପ୍ରସଙ୍ଗ ପୁନର୍ବାର ଚର୍ଚ୍ଚାରେ ଆସିଛି।

Show More

Related Articles

Back to top button