ଫିକା ପଡ଼ିବ ନୂଆ ବର୍ଷ । ଜିରୋନାଇଟ ସେଲିବ୍ରେଶନ ଏବଂ ପିକ୍ନିକ୍ ମନା
ଏଥର ବି ଫିକା ପଡ଼ିବ ନୂଆବର୍ଷ । ରାଜ୍ୟରେ ଏଥର ଜିରୋନାଇଟ ସେଲିବ୍ରେଶନ ମନା । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଡିସେମ୍ବର କୋଭିଡ ଗାଇଡ୍ଲାଇନରେ ଏନେଇ ସ୍ପଷ୍ଟ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଗାଇଡ୍ଲାଇନ ଅନୁଯାୟୀ, ନୂଆବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋନାଇଟ୍ ପାଳନକୁ ବାରଣ କରାଯାଇଛି । ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେଶନ କରିବାକୁ ମନା କରାଯାଇଛି । ଏଥିସହିତ ଡିସେମ୍ବର ୩୧ ଓ ଜାନୁୟାରୀ ୧ ତାରିଖରେ ପିକ୍ନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି ।
ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକ ଏକାଠି ହୋଇ ଜିରୋନାଇଟ୍ ସେଲିବ୍ରେଶନ କରିବାକୁ ମଧ୍ୟ ବାରଣ କରାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାର୍ବଣ ଉପରେ କଟକଣା ଲଗାଯାଇଛି । ଯେହେତୁ ଜିରୋନାଇଟ୍ରେ ଲୋକଙ୍କର ଗହଳି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ମାମଲା ବଢ଼ୁଥିବାରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ ଡିସେମ୍ବର ୧ରୁ ଜାନୁୟାରୀ ୧ ଯାଏ ବଳବତ୍ତର ରହିବ ।
ପୂର୍ବଭଳି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ ହୋଇପାରିବେ ।