ରାଜ୍ୟରେ ୬୪ ତମ ପୁଲିସ ଶହୀଦ ସ୍ମୁତି ଦିବସ ପାଳିତ
ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୪ ତମ ପୁଲିସ ଶହୀଦ ସ୍ମୁତି ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ଶହୀଦ ବୀର ଯବାନଙ୍କ ପରିବାରବର୍ଗ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୀର ଶହୀଦମାନଙ୍କ ପାଇଁ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନେକ ପୁଲିସ ଅଫିସର ଓ କର୍ମଚାରୀ ଆଇନ୍ଶୃଙ୍ଖଳାଏବଂ ଅପରାଧ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ ତଥା ଶାନ୍ତି ବଜାୟ କରିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଥିବା ଅମର ଯବାନଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ଡିଜିପି ଶ୍ରୀ ବଂସଲ ମତପ୍ରକାଶ କରିଥିଲେ।
ଏହି ଅବସରରେ ଡିଜିପି ଶ୍ରୀ ବଂସଲ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁଲିସର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା, ଆଇନ୍ଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ, ଶାନ୍ତି ପ୍ରତିଷ୍ଠା ଏବଂ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଯବାନ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ସହଯୋଗ ଏବଂ ପ୍ରୟାସ ପାଇଁ ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ସଂଖ୍ୟା ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ସମୟରେ ପୁଲିସ ପ୍ରତି ସବୁବେଳେ ନୂଆ ନୂଆ ଆହ୍ୱାନ ଆସୁଛି ଏବଂ ତାକୁ ସାମ୍ନା କରିବାକୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ ବୋଲି ଡିଜିପି ଶ୍ରୀ ବଂସଲ କହିଥିଲେ।