ଲତା ମଙ୍ଗେସକରଙ୍କ ୯୨ତମ ଜନ୍ମଦିନରେ ମୁକ୍ତିଲାଭ କରିବ ୨୬ ବର୍ଷ ପୂର୍ବରୁ ରେକର୍ଡ କରାଯାଇଥିବା ଗୀତ
ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ଏବଂ ଗୀତିକାର ଗୁଲଜାର କହିଛନ୍ତି ଯେ ୨୬ ବର୍ଷ ପୂର୍ବରୁ ଏ ଦୁଇଜଣ ଲତା ମଙ୍ଗେସକରଙ୍କ ସହ ଏକ ଗୀତ ରେକର୍ଡ କରିଥିଲେ ଯାହା ମଙ୍ଗଳବାର ଦିନ ମୁକ୍ତିଲାଭ କରିବ। ‘ଠିକ ନହିଁ ଲଗତା’ ଗୀତ ଏକ ଫିଲ୍ମ ପାଇଁ ରେକର୍ଡିଙ୍ଗ କରାଯାଇଥିଲା। କିନ୍ତୁ ଗୀତଟି ମୁକ୍ତିଲାଭ କରିନଥିଲା। ବର୍ତ୍ତମାନ ଏହି ଗୀତକୁ ଭରଦ୍ୱାଜଙ୍କ ଲେବଲ୍ ‘ଭିବି ମ୍ୟୁଜିକ୍’ ଏବଂ ‘ମୋଜ୍’ ଆପ୍ ସହିତ ମିଳିତ ହୋଇ ମଙ୍ଗେଶକରଙ୍କ ୯୨ ତମ ଜନ୍ମଦିନରେ ମୁକ୍ତିଲାଭ କରାଯିବ।

ସୋମବାର ଦିନ ଡିଜିଟାଲ ମାଧ୍ୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭରଦ୍ୱାଜ କହିଛନ୍ତି ଯେ ଫିଲ୍ମ ‘ମାଚିସ୍’ ପୂର୍ବରୁ ସେ ମଙ୍ଗେଶକରଙ୍କ ସହ ‘ଠିକ ନହିଁ ଲଗତା’ ଗୀତ ରେକର୍ଡ କରିଥିଲେ। ଏହି ଗୀତ ଅନ୍ୟ କିଛି ଚଳଚ୍ଚିତ୍ର ପାଇଁ ଲେଖାଯାଇଥିଲା, ଯାହା ତିଆରି ହୋଇପାରିଲା ନାହିଁ। ଚଳଚ୍ଚିତ୍ର ନିର୍ମାତା ଗଣମାଧ୍ୟମକୁ କହିଛନ୍ତି ଯେ ସେତେବେଳେ ସେମାନେ ଏହି ଗୀତ ରେକର୍ଡ କରିଥିଲେ। ଦୁର୍ଭାଗ୍ୟବଶତଃ ଯେଉଁ ଚଳଚ୍ଚିତ୍ର ପାଇଁ ଏହି ଗୀତ ରଚନା କରାଯାଇଥିଲା, ତାହା ତିଆରି ହୋଇପାରିଲା ନାହିଁ। ଫିଲ୍ମ ସହ ଗୀତ ବି ହଜିଗଲା।
ସେ ପୁଣି ଫିଲ୍ମ ନିର୍ମାଣ କରିବା କଥା ବିଚାର କରିଥିଲେ। କିନ୍ତୁ ୧୦ ବର୍ଷ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଏହି ଚଳଚ୍ଚିତ୍ର ଆଉ ନିର୍ମାଣ ହୋଇପାରିବ ନାହିଁ। ଭରଦ୍ୱାଜ କହିଛନ୍ତି, ଯେଉଁ ଟେପରେ ଲତା ମଙ୍ଗେଶକରଙ୍କ ଗୀତ ରେକର୍ଡିଙ୍ଗ ହୋଇଥିଲା ତାହା ହଜିଯାଇଥିଲା ଓ ରେକର୍ଡିଙ୍ଗ ଷ୍ଟୁଡିଓ ମଧ୍ୟ ବନ୍ଦ ହୋଇଯାଇଥିଲା | ସେ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ତାଙ୍କୁ ଆଉ ଏକ ରେକର୍ଡିଙ୍ଗ ଷ୍ଟୁଡିଓରୁ ଏକ କଲ୍ ଆସିଥିଲା ଯେ ତାଙ୍କୁ ଏକ ଟେପ୍ ମିଳିଛି ଯେଉଁଥିରେ ଭରଦ୍ୱାଜଙ୍କ ନାଁ ଲେଖାଯାଇଛି। ଯାଞ୍ଚ ପରେ ଜଣାପଡିଲା ତାହା ସେହି ଟେପ୍ ଯେଉଁଟା ହଜି ଯାଇଥିଲା ଓ ସେଥିରେ ଲତା ମଙ୍ଗେଶକରଙ୍କ ସେ ଗୀତ ବି ଅଛି। ଭରଦ୍ୱାଜ କହିଛନ୍ତି ଲତାଙ୍କ ଆବାଜ ଭିନ୍ନ ଟ୍ରାକରେ ଥିଲା। ସେଥିପାଇଁ ସେମାନେ ତାକୁ ପୁଣି ଅର୍କେଷ୍ଟ୍ରେଟ୍ କରିଛନ୍ତି କାରଣ ତାହା ଟିକେ ପୁରୁଣା ଲାଗୁଥିଲା। ଲତା ମଙ୍ଗେଶକର ଏକ ଭଏସ୍ ମେସେଜ୍ ଜରିଆରେ ଗୁଲଜାର ଓ ଭରଦ୍ୱାଜଙ୍କୁ ପ୍ରଶଂସା କରିଛନ୍ତି। ଗୁଲଜାର ଭରଦ୍ୱାଜଙ୍କୁ ଗୀତ ଖୋଜିଥିବା କଲମ୍ବସ୍ ବୋଲି କହିଛନ୍ତି।