ଖାଦ୍ୟ ଉପରେ ଭାରତ ଉପରେ ଦୁନିଆର ନଜର
ଗହମ ପରେ ଏବେ ଚାଉଳ କରିପାରେ ହଇରାଣ

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ ରୋକ୍ ପରେ ଦୁନିଆର ବଡ ଭାଗରେ ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି। ଏବେ ଚାଉଳକୁ ନେଇ ମଧ୍ୟ ଦୁନିଆକୁ ବଡ ଆହ୍ଵାନର ସାମ୍ନା କରିବାକୁ ପଡିପାରେ। ଭାରତ ଦୁନିଆର ସବୁଠୁ ବଡ ଚାଉଳ ରପ୍ତାନକାରୀ ଦେଶ। ଏଥର ଅନିୟମିତ ବର୍ଷା କାରଣରୁ ଧାନ ଚାଷ ପ୍ରଭାବିତ ହୋଇଛି। ଏଥିରେ ଧାନ ଉତ୍ପାଦନ କମ ହେବାର ଆଶଙ୍କା ଦେଖା ଦେଇଛି। ଦରବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ମଧ୍ୟରେ ଧାନର ଉତ୍ପାଦନ ହ୍ରାସ ଘଟିବା ଏକ ବଡ ସମସ୍ୟା ସୃଷ୍ଟି କରିପାରେ। କମ ବର୍ଷା କାରଣରୁ ଏଥର ଧାନ ଫସଲରେ ୧୩ ପ୍ରତିଶତ କମ ଦେଖିବାକୁ ମିଳିଛି। ଦେଶର ମୋଟ୍ ଉତ୍ପାଦନର ଏକ ଚତୁର୍ଥାଂଶ ଧାନ ଚାଷ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ହୋଇଥାଏ। ଏଥର ଏହି ଦୁଇ ରାଜ୍ୟରେ ଧାନବୁଣା କମ ହୋଇଛି। ବ୍ୟବସାୟୀଙ୍କୁ ଏହି ଚିନ୍ତା ଘାରୁଛି ଯେ, ଧାନର କମ ଉତ୍ପାଦନ ଦରବୃଦ୍ଧି ଆହୁରି ବଢାଇବା ସହିତ ରପ୍ତାନୀରେ ପ୍ରଭାବ ପକାଇପାରେ।
ଏମିତି ହେଲେ ଭାରତ ପ୍ରଥମେ ଦେଶ ଭିତରେ ଖାଦ୍ୟ ସୁନିଶ୍ଚିତ କରିବ। ଅନ୍ୟପଟେ ଭାରତ ସମଗ୍ର ଦୁନିଆରେ ୪୦ ପ୍ରତିଶତ ଚାଉଳ ରପ୍ତାନୀ କରିଥାଏ। ଏମିତି ହେଲେ ଅନେକ ଦେଶରେ ମଧ୍ୟ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇପାରେ, ବିଶେଷ କରି ଯେଉଁମାନେ ଭାରତ ଉପରେ ନିର୍ଭରଶୀଳ। ଭାରତ ଗହମ ଏବଂ ଆଖୁ ଉପରେ ପୂର୍ବରୁ ରୋକ୍ ଲଗାଇ ସାରିଛି। ସୂଚନା ମୁତାବକ, ଚାଉଳର କିଛି କିଷମର ମୂଲ୍ୟ ବଢି ସାରିଛି। ପଶ୍ଚିମବଙ୍ଗ, ଓଡିଶା ଏବଂ ଛତିଶଗଡରେ କମ ବର୍ଷା କାରଣରୁ ବାଂଲାଦେଶରେ ଚାଉଳର ଚାହିଦା ବଢି ଯାଇଛି। ଏହାର ରପ୍ତାନୀ ମୂଲ୍ୟ ବଢି ଟନ୍ ପିଛା ୪୦୦ ଡଲାରରେ ପହଞ୍ଚିଛି। ଯାହା ଦୁଇ ମାସ ପୂର୍ବେ ଟନ୍ ପିଛା ୩୬୫ ଡଲାର ଥିଲା।