
ପାଖେଇ ଆସୁଛି ସ୍ୱାଧୀନତା ଦିବସ। ଜାତୀୟ ଦିବସ ସମାରୋହ ଲାଗି ଲୋକଙ୍କ ମନରେ ଅନେକ ଉତ୍ସାହ। ପ୍ରତିବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଲୋକେ ଗୁଡ଼ି ଉଡାଇ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି। ତେବେ ଦେଶ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ ଲୋକେ ଗୁଡି ଉଡାଇ ଦିବସ ପାଳନ କରୁଥିଲେ। ଏହାର ଏକ ରୋଚକ ଐତିହାସିକ କାହାଣୀ ମଧ୍ୟ ଅଛି। ୧୯୨୭ ମସିହାରେ ସାଇମନ କମିଶନ ଭାରତ ଆସିଥିଲେ। ଏହ କମିଶନରେ ଜଣେ ବି ଭାରତୀୟ ନଥିଲେ। ଏଣୁ ସାରା ଦେଶରେ ସାଇମନ କମିଶନକୁ ବିରୋଧ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ‘ସାଇମନ ଗୋ ବ୍ୟାକ୍’ ସ୍ଲୋଗାନ ଲଗାଇଥିଲେ। ଦେଶରେ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବା ବେଳେ ଇଂରେଜ ସରକାର ଦମନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ବିକ୍ଷୋଭକାରୀଙ୍କ ଉପରେ ସ୍ଥାନେ ସ୍ଥାନେ ଲାଠି ମାଡ ହୋଇଥିଲା।
ଏଥିରେ ଇଂରେଜ ପୋଲିସଙ୍କ ଲାଠି ମାଡରେ ଲାଲା ଲଜପତ ରାୟ ଆହତ ହୋଇ ଶେଷରେ ପ୍ରାଣ ହରାଇଥିଲେ। ଲକ୍ଷ୍ନୌରେ ଇଂରେଜଙ୍କୁ ବିରୋଧ କରି ପଣ୍ଡିତ ଜବାହାରଲାଲ ନେହେରୁ ମଧ୍ୟ ଲାଠିମାଡରେ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ ଦମନମୂଳକ ପଦକ୍ଷେପରେ ଦେଶବାସୀ ହାରି ଯାଇ ନଥିଲେ କି ଡରିଯାଇନଥିଲେ। ସାଇମନ କମିଶନ ବିରୋଧରେ ଲୋକେ ଗୋ ବ୍ୟାକ୍ ସାଇମନ ଗୁଡି ଉଡାଇଥିଲେ। ସେବେଠାରୁ ଦେଶରେ ଜାତୀୟ ସମାରୋହରେ ଗୁଡି ଉଡା ପରମ୍ପରା ଜଡିତ ହୋଇଯାଇଥିବା ବେଳେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ବିଭିନ୍ନ ସ୍ଥାନରେ ଗୁଡି ଉଡାଯିବା ସହ ଆକାଶ ତ୍ରିରରଙ୍ଗାରେ ରଙ୍ଗୀନ ହୋଇଥାଏ।