ଜାତୀୟ ପଞ୍ଚାୟତିରାଜ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନେ

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ସମସ୍ତ ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଣେ ସରପଞ୍ଚ ଭାବେ ମୋର ସାର୍ବଜନୀନ ଜୀବନ ଆରମ୍ଭ ହୋଇଥିବାରୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତର ଶକ୍ତିକୁ ମୁଁ ଅତି ନିକଟରୁ ଅନୁଭବ କରିଛି। ଗାଁର ବିକାଶରେ ହିଁ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ନିହିତ, ସେଥିପାଇଁ ଆମ ସରକାର ତୃଣମୂଳ ସ୍ତରର ବିକାଶକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କ୍ରମରେ ଆଜି ବଲାଙ୍ଗିରଠାରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ସମାରୋହରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଆହୁରି ୫୦,୦୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଆମେ ଗ୍ରାମାଞ୍ଚଳର ପ୍ରଗତି ପାଇଁ ଆଉ ଏକ ପାଦ ଆଗକୁ ବଢ଼ିବୁ। ସାମଗ୍ରିକ ସହଭାଗିତାରେ ଆମେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପବଦ୍ଧ।
ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ହେଲେ ଆମକୁ ସ୍ଥାନୀୟ ପ୍ରଶାସନରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଛନ୍ତି ।ଏନେଇ ସୋସିଆଲ ମିଡିଆ ବାର୍ତ୍ତାରେ କେଭି ସିଂହଦେଓ କହିଛନ୍ତି ଯେ, ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ଏହି ବିଶେଷ ଦିନରେ ଆମେ ଏପରି ଏକ ସଂକଳ୍ପ ନେବା ଉଚିତ ଯାହା ଦ୍ୱାରା ଦେଶ ତଥା ରାଜ୍ୟର ବିକାଶ ଧାରା ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ ହୋଇପାରିବ।କେଭି ସିଂହଦେଓ କହିଛନ୍ତି ଯେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ହେଲେ ଆମକୁ ସ୍ଥାନୀୟ ପ୍ରଶାସନରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାକୁ ପ୍ରାଧାନ୍ୟ ଦେବାକୁ ହେବ। ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଯେତେବେଳେ ଆମର ପଞ୍ଚାୟତ ପ୍ରତିନିଧିମାନେ ଶକ୍ତିଶାଳୀ ହେବେ, ସେତେବେଳେ ହିଁ ପ୍ରକୃତ ବିକାଶ ସମ୍ଭବ ହେବ। ଏଥିସହ ଗ୍ରାମସଭା ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ଶୁଣିବା ଏବଂ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିବା ଦ୍ୱାରା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଆହୁରି ଗଭୀର ହୋଇପାରିବ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ସହଯୋଗ ଏବଂ ନିଷ୍ଠାପର ଉଦ୍ୟମ ହିଁ ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ଭାରତ ଗଠନର ମାର୍ଗ ପ୍ରଶସ୍ତ କରିବ। ତୃଣମୂଳ ସ୍ତରରୁ ଏହି ଶକ୍ତିକରଣ ହିଁ ଦେଶକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାର ପ୍ରକୃତ ଚାବିକାଠି।ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କ୍ଷମତାର ବିକେନ୍ଦ୍ରୀକରଣ ସହ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଶାସନ ପହଞ୍ଚାଇଛି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା । ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା ।ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଆତ୍ମା ତାହାର ଗ୍ରାମଗୁଡିକରେ ରହିଛି ଏବଂ ଏହି ଗ୍ରାମର ସମଗ୍ର ଉନ୍ନତିର ଆଧାର ହେଉଛି ଆମ ପଞ୍ଚାୟତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ ପଞ୍ଚାୟତୀ ରାଜ ଦିବସ’ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭାରତର ଆତ୍ମା ତାହାର ଗ୍ରାମ ମଧ୍ୟରେ ରହିଛି ଏବଂ ଏହି ଗ୍ରାମଗୁଡିକର ସମଗ୍ର ଉନ୍ନତିର ଆଧାର ହେଉଛି ଆମ ପଞ୍ଚାୟତ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଗତ କିଛି ବର୍ଷରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ନୂଆ ଶକ୍ତି ଓ ଦିଗ ମିଳିଛି। ନାରୀ ସଶକ୍ତିକରଣ, ଡିଜିଟାଲ ଓ ସ୍ୱାସ୍ଥ୍ୟ ସୁବିଧାର ବିସ୍ତାର, ସ୍ୱଚ୍ଛତା ଅଭିଯାନ, ଜଳ ସଂରକ୍ଷଣ ଓ ମୂଳଭୂତ ପ୍ରାଥମିକ ସଂରଚନାର ବିକାଶ ମାଧ୍ୟମରେ ଗାଁରୁ ଗାଁ ପର୍ଯ୍ୟନ୍ତ ପରିବର୍ତ୍ତନର ଧାରା ପହଞ୍ଚିଛି। ଆଜି ଏହି ଅବସରରେ ପଞ୍ଚାୟତମାନଙ୍କ ମାଧ୍ୟମରେ ରାଷ୍ଟ୍ର ଗଠନରେ ନିୟୋଜିତ ସମସ୍ତ ଜନପ୍ରତିନିଧି, କର୍ମଯୋଗୀ ଓ ଗ୍ରାମବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।



