ଓଡ଼ିଶାମୁଖ୍ୟ ଖବରରାଜନୀତି

ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଓପିସିସି ଶୃଙ୍ଖଳା କମିଟି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ କଂଗ୍ରେସର ଚିନ୍ତା ବଢ଼ାଇଛନ୍ତି ମୋହନା ବିଧାୟକ ଦାଶରଥୀ ଗମାଙ୍ଗ। ସପ୍ତାହେ ହେଲାଣି ଦଳ ତାଙ୍କ ସହିତ ଯୋଗାଯୋଗ ସ୍ଥାପନ କରିପାରୁ ନଥିବା ବେଳେ ଆଜି ଦଳର ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ସୋ’ କଜ୍‌ ନୋଟିସ୍‌ ଜାରି କରାଯାଇଛି।
ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ, ଉତ୍ତର ନ ଦେଲେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସୋ କଜ୍ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।
ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀଙ୍କ ଦସ୍ତଖତ ଥାଇ ଯେଉଁ ସୋ କଜ୍ ନୋଟିସ୍ ବିଧାୟକ ଦାଶରଥୀ ଗମାଙ୍ଗ ନିକଟକୁ ପଠାଯାଇଛି, ସେଥିରେ ଲେଖା ହୋଇଛି- ଆସନ୍ତା ୧୬ ମାର୍ଚ୍ଚରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୁବନେଶ୍ୱରରେ ରହିବା ନିମନ୍ତେ ହ୍ୱିକ୍ ଜାରି କରାଯାଇଥିବା ଆପଣ ଜାଣନ୍ତି। ତେବେ ଗତ ମାର୍ଚ୍ଚ ୮ ତାରିଖରୁ ଏଯାଏ ସପ୍ତାହେ କାଳ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଚେଷ୍ଟା କରୁଛନ୍ତି। ଅଥଚ ଆପଣ ମିଳୁ ନାହାନ୍ତି। ଏଆଇସିସି ଓଡ଼ିଶା ଇନ୍‌-ଚାର୍ଜ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଆପଣଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଆପଣଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଓ ଆପଣଙ୍କ ଗ୍ରାମରେ ମଧ୍ୟ ଆପଣଙ୍କୁ ବହୁବାର ଖୋଜିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ରହସ୍ୟମୟ ଭାବେ ଉଭାନ ହୋଇଯିବା ଦ୍ୱାରା ରାଜ୍ୟବାସୀଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି। ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ମିଳିତ ଭାବେ କଂଗ୍ରେସ-ବିଜେଡି-ସିପିଆଇ(ଏମ୍‌) ଜିତାଇବାକୁ ଚେଷ୍ଟା କରୁଥିବା ବେଳେ ଆପଣଙ୍କ ଖୋଜ୍‌ଖବର ନଥିବା ନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ଦ୍ୱାରା ରାଜ୍ୟବାସୀଙ୍କ ମନରେ ଅହେତୁକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।
ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣ ନ ଆସନ୍ତି କିମ୍ବା ଆପଣଙ୍କଠାରୁ ସନ୍ତୋଷଜନକ ଲିଖିତ ଉତ୍ତର ନ ମିଳେ, ଆପଣଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବାଧ୍ୟ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button