
ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ପାର୍ଟି ସୁପ୍ରିମୋ ।ପିପିଲି ଉପନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି, ହେଲେ ଟକ୍କର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି ବିଜେଡିର ହେଭିୱେଟ୍। ବିଧାୟକ, ମନ୍ତ୍ରୀ ରାଲି ଓ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରୁଛନ୍ତି । ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ଭଉଣୀ ଓ ଭିଣୋଇଙ୍କ ସମେତ ଦଳର ତାରକା ପ୍ରଚାରକ ଏଠାରେ ଜିତିବାକୁ ଦିନରାତି ଏକ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିରେ ଶେଷ ସ୍ପର୍ଶ ଦେବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ । ଅନ୍ୟପକ୍ଷରେ ଶାସକ ଦଳର ମୁକାବିଲା ପାଇଁ ପ୍ରମୁଖ ବିରୋଧୀ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପିର ଓଡ଼ିଶା ପ୍ରଭାରୀ ପୁରେନ୍ଦଶ୍ବରୀଙ୍କଠାରୁ ଆରମ୍ଭ କରି ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରକୁ ଓହ୍ଲାଇବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପିପିଲି ଯାଇ ଦଳୀୟ ପ୍ରଚାରକୁ ଅଧିକ ଶାଣିତ କରିବାର ଯୋଜନା ରହିଛି। କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଭୋଟରଙ୍କୁ ମନେଇବାରେ ଲାଗି ପଡିଛନ୍ତି ।