ରାହୁଲଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗରୁ ଦୂରେଇଲେ ପିଟ୍ରୋଡା

କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ଏକ ବୟାନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଥିବା ବେଳେ ପିଟ୍ରୋଡା ଏହି ଦାବିଠାରୁ ନିଜକୁ ଦୂରେଇ ରଖିଛନ୍ତି। ମୋଦି ନିଜେ ଫୋନ୍ ଟ୍ୟାପ୍ କରୁଥିବା ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପିଟ୍ରୋଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଏଭଳି କାମ କରନ୍ତି ନାହିଁ। ସେ କମ୍ପ୍ୟୁଟରରେ ସ୍କ୍ରୁଡ୍ରାଇଭର ଧରି କାମ କରିବାକୁ ଯାଆନ୍ତି ନାହିଁ। ତେବେ ନିଜ ଫୋନ୍ ଟ୍ୟାପ୍ ହେଉଥିବା, ଲାପଟପ୍ ଉପରେ ସାଇବର ଆକ୍ରମଣ ହେଉଥିବା ଏବଂ ବ୍ୟାଙ୍କ ଖାତା ଉପରେ ନଜର ରଖାଯାଉଥିବା ସେ ଅଭିଯୋଗ କରିଛନ୍ତି। ବିଶେଷଜ୍ଞଙ୍କ ଯାଞ୍ଚରୁ ଏ ସମ୍ପର୍କରେ ଜାଣିଥିବା ମଧ୍ୟ ଦାବି କରିଛନ୍ତି।
ଏହି କାର୍ଯ୍ୟ ପଛରେ କିଏ ଅଛି ବୋଲି ପ୍ରଶ୍ନ ହେବାରୁ ସେ କାହାରି ନାଁ ନେଇନାହାନ୍ତି।
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧି ଦିନକ ପୂର୍ବରୁ ନିଜ ଫୋନ୍ରେ ମୋଦିଙ୍କ ବିରୋଧରେ ପ୍ରମାଣ ଥିବା ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ।



