ପଶ୍ଚିମ ଏସିଆ ସଂଘର୍ଷ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ; କିଛି ରାଜ୍ୟର CM ଅନୁପସ୍ଥିତ

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଓ ତାହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଇରାନ-ଇସ୍ରାଏଲ ସଂଘର୍ଷର ପରିଣାମରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଶକ୍ତି ଯୋଗାଣ ବ୍ୟବସ୍ଥାରେ ପଡ଼ୁଥିବା ପ୍ରଭାବର ସମୀକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷିତରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସର୍ବଦଳୀୟ ସ୍ତରର ବୈଠକ।
ତେବେ, ଆଚରଣ ବିଧି ଲାଗୁ ଥିବାରୁ ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗ ଦେଇନାହାନ୍ତି। ସେହିପରିସ୍ଥିତିରେ, ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହ କ୍ୟାବିନେଟ ସଚିବାଳୟ ପକ୍ଷରୁ ପୃଥକ ଭାବେ ଆଲୋଚନା କରାଯିବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକସଭାରେ ସଚେତନ କରିଥିଲେ ଯେ, କିଛି ଅସାମାଜିକ ତତ୍ତ୍ୱ ଏଭଳି ବିଶ୍ୱସ୍ତରୀୟ ସଙ୍କଟର ସୁଯୋଗ ନେଇପାରନ୍ତି। ଏହି ପରିପ୍ରେକ୍ଷିତରେ ଉପକୂଳ, ସୀମା ଓ ସାଇବର କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଅନ୍ୟପଟେ, ଇରାନ-ଇସ୍ରାଏଲ ସଂଘର୍ଷ ପରେ ଦେଶରେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ ଅଭାବ ସମ୍ପର୍କିତ ଗୁଜବ ଚାଲିଥିବାବେଳେ ସରକାର ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଦେଶରେ ପ୍ରାୟ ୬୦ ଦିନ ପାଇଁ ପେଟ୍ରୋଲ-ଡିଜେଲ ଏବଂ ପ୍ରାୟ ଗୋଟେ ମାସ ପାଇଁ LPG ମଜୁତ ଉପଲବ୍ଧ ରହିଛି।
ପେଟ୍ରୋଲିୟମ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶର ଶକ୍ତି ଯୋଗାଣ ପୂରାପୁରି ସୁରକ୍ଷିତ ଓ ନିୟନ୍ତ୍ରଣରେ ରହିଛି। ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରାଯାଇଛି। ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ଇଂଧନ ଉପଲବ୍ଧ ରହିଛି ଓ PNG ଯୋଗାଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ମନ୍ତ୍ରଣାଳୟ ଜଣାଇଛି।



