ପହଲଗାମ ପୀଡିତଙ୍କୁ ନ୍ୟାୟ ମିଳିବ-ପିଏମ ମୋଦି

ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ। ଘଟଣା ପାଇଁ ଦାୟୀ ଆତଙ୍କବାଦୀ ଏବଂ ଏହା ପଛରେ ଥିବା ମାଷ୍ଟରମାଇଣ୍ଡକୁ କଠୋର ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୨୧ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆତଙ୍କବାଦ ବିରୋଧୀ ଆମ ଲଢ଼େଇରେ ୧୪୦ କୋଟି ଭାରତୀୟଙ୍କ ସହିତ ସାରା ବିଶ୍ଵ ଛିଡ଼ା ହୋଇଛି। ମୁଁ ପୀଡ଼ିତମାନଙ୍କ ପରିବାରଙ୍କୁ ପୁନର୍ବାର ବିଶ୍ଵାସ ଦେଉଛି ଯେ ସେମାନଙ୍କୁ ନ୍ୟାୟ ନିଶ୍ଚୟ ମିଳିବ।
ମୋଦୀ ଦେଶବାସୀଙ୍କୁ କହିଥିଲେ, ଆଜି ମୁଁ ଆପଣଙ୍କ ସହିତ ମନ୍ କୀ ବାତ୍ କରୁଛି, କିନ୍ତୁ ମୋ ମନ ବହୁତ ଦୁଃଖରେ ଅଛି। ୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରିକଙ୍କୁ ଦୁଃଖିତ କରିଛି। ପୀଡ଼ିତ ପରିବାରଙ୍କ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମ୍ବେଦନା ରହିଛି। ମୁଁ ଅନୁଭବ କରିପାରୁଛି, ଆତଙ୍କୀ ଆକ୍ରମଣର ଛବିକୁ ଦେଖି ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଇଛି। ଏହି ଆକ୍ରମଣ ଆତଙ୍କବାଦୀଙ୍କ ଭୀରୁତାକୁ ଦର୍ଶାଉଛି। ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ଗଣତନ୍ତ୍ର ମଜଭୁତ ହେଉଥିଲା, ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିଲା, ଲୋକଙ୍କ ରୋଜଗାର ବଢ଼ୁଥିଲା, ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ଦେଶର ଶତ୍ରୁଙ୍କୁ ଜାମ୍ମୁ-କାଶ୍ମୀରର ଶତ୍ରୁଙ୍କୁ ଏହା ହଜମ ହେଲାନାହିଁ।
ମୋଦୀ ଆହୁରି କହିଥିଲେ, ଦୁଇଦିନ ତଳେ ଦେଶ ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନଙ୍କୁ ହରାଇଛି। ସେ ଯେତେବେଳେ କସ୍ତୁରୀରଙ୍ଗନଙ୍କୁ ଭେଟନ୍ତି, ସେତେବେଳେ ଦେଶର ଯୁବପିଢ଼ିଙ୍କ ପ୍ରତିଭା, ଆଧୁନିକ ଶିକ୍ଷା, ମହାକାଶ ବିଜ୍ଞାନ ଭଳି ବିଷୟରେ ଆଲୋଚନା କରନ୍ତି। ବିଜ୍ଞାନ, ଶିକ୍ଷା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗ ଦେବାରେ ଡ. କସ୍ତୁରୀରଙ୍ଗନଙ୍କ ଯୋଗଦାନକୁ ଦେଶ ସର୍ବଦା ସ୍ମରଣ କରିବ। ତାଙ୍କ ନେତୃତ୍ଵରେ ଇସ୍ରୋକୁ ଏକ ନୂଆ ପରିଚୟ ମିଳିଛି।