
ପାଟନା: ବିହାରରେ କୁରହାନି ଉପନିର୍ବାଚନରେ ବିଜେପିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର। ଏହା ନିତୀଶଙ୍କ ମହାଗଠବନ୍ଧନ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ସେ କହିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ବିହାରରେ ବ୍ୟାପକ ଦୁର୍ନୀତିରେ ସାଧାରଣ ଜନତା ଅତିଷ୍ଠ ଓ ବିରକ୍ତ ହୋଇ ପଡ଼ିଛନ୍ତି। ଏହା ସେ ଲୋକଙ୍କ ସହ କଥାବାର୍ତ୍ତା ସମୟରେ ଜାଣିବାକୁ ପାଉଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାଗଠବନ୍ଧନ ସରକାରଙ୍କ ପ୍ରଦର୍ଶନରେ ରାଜ୍ୟବାସୀ ଖୁସି ନୁହଁନ୍ତି। ମୁଁ ଅନେକ ଦିନ ଧରି ଲୋକଙ୍କ ସହ କଥାବାର୍ତ୍ତା କରୁଛି। ଏହି ଆଲୋଚନା ବେଳେ ଲୋକେ କେମିତି ରାଜ୍ୟରେ ବ୍ୟାପକ ଦୁର୍ନୀତିରେ ଅତିଷ୍ଠ ତାହା ଜଣାପଡ଼ୁଛି।
ଏହାର ସଦ୍ୟ ଉଦାହରଣ ହେଉଛି କୁରହାନି ଉପନିର୍ବାଚନ ଫଳାଫଳ। ନୀତୀଶ କୁମାରଙ୍କ ବିରୋଧରେ ଲୋକଙ୍କ କ୍ରୋଧର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି। ଏହି ଉପନିର୍ବାଚନରେ ବିଜେପି ଶାସକ ମହାଗଠବନ୍ଧନ ମଞ୍ଚରୁ କୁରହାନି ବିଧାନସଭା ଆସନକୁ ଛଡ଼ାଇ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଏବେ ରାଜ୍ୟରେ ସବୁଆଡେ ଦେଖିବାକୁ ମିଳୁଛି। ପରିସ୍ଥିତି ଏମିତି ହୋଇଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁରକ୍ଷା କର୍ମୀଙ୍କ ବିନା ରାସ୍ତାରେ ଚାଲିପାରିବେ ନାହିଁ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି।



