ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଭାରତର ପ୍ରଧାନମନ୍ତ୍ରୀ
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆସନ୍ତା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଯାଉଛି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଏନେଇ ରିପୋର୍ଟ ପ୍ରକାଶ କରିଛି ଜାପାନର ନ୍ୟୁଜ ଏଜେନ୍ସି କ୍ୟୋଡୋ ନ୍ୟୁଜ ।
ସୂଚନା ଅନୁଯାୟୀ, ଏହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜାପାନ ଗସ୍ତ,କାରଣ ବ୍ୟକ୍ତିଗତ ଭାବେ ଜାପାନ ଆବେ ଓ ମୋଦୀଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ଥିଲା । ତେବେ ଜାପାନ ଗସ୍ତ ସମୟରେ ପ୍ରଥମେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ସାକ୍ଷାତ କରିବେ ।
ସୂଚନା ଥାଉ,ଗତ ଜୁଲାଇ ମାସରେ ଜାପାନର ନରା ସହରର ‘ୟାମାତୋ ସାଇଡାଇଜି ଷ୍ଟେସନ୍’ ସମ୍ମୁଖରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଭାଷଣ ଦେଉଥିବା ସମୟରେ ଆବେଙ୍କ ଉପରକୁ ଜଣେ ବ୍ୟକ୍ତି ଗୁଳିଚାଳନା କରିଥିଲେ । ଫଳରେ ତାଙ୍କ ଯରାରରେ ୨ଟି ଗୁଳି ବାଜିଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜୁଲାଇ ୧୨ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହାର କିଛି ଦିନ ପରେ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପାଇଁ ଜାପାନ ସରକାର ଘୋଷଣା କରିଥିଲେ ।