ଓଡ଼ିଶାମୁଖ୍ୟ ଖବର

କେନ୍ଦୁଝର କଙ୍କାଳ, ଜିତୁ ମୁଣ୍ଡା ପାଇଁ ରାଜସ୍ଥାନ ମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : କେନ୍ଦୁଝର ଜିଲାରେ ଜଣେ ଆଦିବାସୀ ବ୍ୟକ୍ତି ନିଜ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ କଙ୍କାଳ ବୋହି ଆଣିଥିବା ଅଭାବନୀୟ ଘଟଣା ରାଜ୍ୟ ସହ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ରାଜସ୍ଥାନର କୃଷିମନ୍ତ୍ରୀ କିରୋଡି ଲାଲ ମୀନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ, ଏହାକୁ ସଭ୍ୟ ସମାଜ ପାଇଁ ଏକ “କଳଙ୍କ” ବୋଲି ଅଭିହିତ କରିଛନ୍ତି।

ସୂଚନାନୁଯାୟୀ, କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କର କଙ୍କାଳ ନେଇ ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚିଥିଲେ। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କର ନିୟମ ଓ କାଗଜପତ୍ର ନାଁରେ ତାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନଙ୍କ ମଧ୍ୟରେ ଭାରି ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ଭିଡିଓ ଶେୟାର କରି କିରୋଡି ଲାଲ ମୀନା କହିଛନ୍ତି ଯେ, ଜିତୁ ମୁଣ୍ଡାଙ୍କ ଅସହାୟତା ଓ ଯନ୍ତ୍ରଣା ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି। ସରକାରୀ ପ୍ରକ୍ରିୟା ନାଁରେ ଏଭଳି ମାନସିକ ନିର୍ଯାତନା ଦେବା କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ମତ ଦେଇଛନ୍ତି।

ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଘଟଣାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଏହାସହିତ ପୀଡ଼ିତ ପରିବାରଙ୍କ ପାଇଁ ସେ ନିଜର ଏକ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। ଜିତୁ ମୁଣ୍ଡାଙ୍କ ଦୁଃଖରେ ସହଭାଗୀ ହୋଇ ଏହି କଷ୍ଟକର ସମୟରେ ସେ ତାଙ୍କ ପାଖରେ ରହିବେ ବୋଲି ମୀନା କହିଛନ୍ତି।

ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ପ୍ରଶାସନ ସଚେତନ ହେବା ସହ ସମସ୍ତଙ୍କୁ ସଜାଗ ରହିବା ଦରକାର ବୋଲି ସେ ମତ ପ୍ରକାଶ କରିଛନ୍ତି।

Show More

Related Articles

Back to top button