ଓଡିଶା ଫେରିଲା ଦୁର୍ଲଭ ମୂର୍ତ୍ତି

ଭୁବନେଶ୍ୱର- ଓଡ଼ିଶା ଫେରିଲା ଯାଜପୁର ଜିଲ୍ଲା ଦର୍ପଣ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଆଜି ସକାଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛି ମାଙ୍କ ମୂର୍ତ୍ତି । ଯାଜପୁର ଡିଏସପି ଓ ପୋଲିସ ଟିମ୍ ଏବଂ ଦର୍ପଣର ସରପଞ୍ଚ ନୂଆଦିଲ୍ଲୀରୁ ବିମାନ ଯୋଗେ ମା କୋଟ୍ରାକ୍ଷୀଙ୍କ ମୂର୍ତ୍ତି ନେଇ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗତକାଲି କଷ୍ଟମ ବିଭାଗର ଅଧିକାରୀ ମାନେ ଓଡ଼ିଶା ପ୍ରଶାସନକୁ ମୂର୍ତ୍ତି ହସ୍ତାନ୍ତର କରିଥିଲେ । ଏହି ଅବସରରେ ଏଏସଆଇ ଅଧିକାରୀ ଏବଂ ଦର୍ପଣ ଗଡର ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ । ଶନିବାର ପୁନଃ ପ୍ରତିଷ୍ଠା ହେବ ମାଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲଭ ପ୍ରାଚୀନ ମୂର୍ତ୍ତି ।
ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏୟାର କାର୍ଗୋର କଷ୍ଟମ ବିଭାଗ ପାଖରେ ପଡି ରହିଥିବା ଏହି ଦୁର୍ଲଭ ମୂର୍ତ୍ତିକୁ ଫେରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଠାବ ହୋଇଥିଲା । ପରେ ଏହାକୁ ଏଏସଆଇ ନିକଟକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା କରିବା ପରି ଉକ୍ତ ପ୍ରତିମା’ଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ଉକ୍ତ ପ୍ରତିମାଟି ନୂଆଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥବା ଜଣାପଡିଥିଲା । ପ୍ରକୃତରେ ଉକ୍ତ ଦୁର୍ଲ୍ଳଭ ମୂର୍ତ୍ତିଟି ଗତ ଜାନୁଆରୀ ୧୧, ୨୦୨୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଫେରାଇବା ପାଇଁ ଅନେକ ଆନ୍ଦୋଳନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସତ୍ତ୍ୱେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହେବା ପରେ ଗ୍ରାମବାସୀମାନେ ଘଟଣାର ସାତ ମାସ ପରେ ମାଆଙ୍କ ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।