ରସିକିଆ ଡାକ୍ତରର ଖୋଲୁଛି ଗୁମର
ରାଜ୍ୟରେ କିଡ୍ନୀ ଚୋରି ରାକେଟ୍ର ମାଷ୍ଟରମାଇଣ୍ଡ ଥିଲେ ରମେଶ ସ୍ୱାଇଁ

ରସିକିଆ ଡାକ୍ତରର ଖୋଲୁଛି ଗୁମର, ଦିନକୁ ଦିନ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ୱାଇଁଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଣି ଏକ ବିସ୍ଫୋରକ ତଥ୍ୟ ପୁଲିସ୍ ହାତରେ ଲାଗିଛି । ୧୯୯୯ରୁ ୨୦୦୫ ମଧ୍ୟରେ ରାଜ୍ୟରେ କିଡ୍ନୀ ଚୋରି ହେଇଥିବା ରାକେଟ୍ର ମାଷ୍ଟରମାଇଣ୍ଡ ଥିଲେ ରମେଶ ସ୍ୱାଇଁ । ଯେଉଁ ବ୍ୟକ୍ତିଙ୍କ କିଡ୍ନୀକୁ କାଢ଼ି ରମେଶ ବିକ୍ରି କରିଥିଲେ, ତାଙ୍କ ପରିବାର ଲୋକ ସ୍ପେଶାଲ୍ ସ୍କ୍ୱାଡ୍କୁ ଫୋନ୍ କରି ଏହି ବାବଦରେ ସଂପୁର୍ଣ୍ଣ ଘଟଣା ଜଣାଇଛନ୍ତି ।
ଏହି କିଡନି ଚୋରି କଥା ଶୁଣିବା ପରେ ଡିସିପି ଉମାଶଙ୍କର ଦାସ ଜଣେ ଅତିରିକ୍ତ ଡିସିପିଙ୍କ ସମେତ ୨ ଜଣ ଏସିପିଙ୍କୁ ନେଇ ଏକ ସ୍ପେଶାଲ୍ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ।
ସୂଚନା ଅନୁଯାୟୀ , ଏକାଧିକ ରାଣୀର ରାଜା ରମେଶ ୧୯୯୯ରେ କାମାକ୍ଷାନଗର ଜରିଡ଼ାମାଳରେ ୪ ଲକ୍ଷ ଟଙ୍କାର ଜମି ଓ ଘର ଦେବାକୁ କଙ୍କଡାହାଡ଼ ଦଣ୍ଡାଧର ଗାଁର ଜଣେ ବ୍ୟକ୍ତିଙ୍କଠାରୁ ୬୦ ହଜାର ଟଙ୍କା ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଘର କି ଜମି କିଛି ଦେଇ ନଥିଲେ । ଟଙ୍କା ଦେଇଥିବା ବ୍ୟକ୍ତିଙ୍କର କିଛି ଦିନ ପରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କ ପତ୍ନୀ ରମେଶଙ୍କ ପାଖକୁ ଆସି ଟଙ୍କା ମାଗିଥିଲେ କିନ୍ତୁ ରମେଶ ଟଙ୍କା ନଦେଇ ତାଙ୍କୁ କଟକ ଆଣି ପେଟ ଅପରେସନ୍ କରେଇଦେବ ବୋଲି କହିଥିଲେ । ଏଥିରେ ମହିଳା ରାଜି ହୋଇ ସ୍ୱାମୀଙ୍କ ପେଟ ଅପରେସନ୍ କରାଇଥିଲେ । ସେଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା । ଅପରେସନ୍ର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ କଟକରେ ମୃତ୍ୟୁ ହୋଇଥିଲା । ମହିଳା ଜଣକ ପରେ ଜାଣିବାକୁ ପାଇଥିଲେ ଯେ ରମେଶ ତାଙ୍କ ସ୍ୱାମୀଙ୍କ କିଡ୍ନି କାଢ଼ି ବିକ୍ରି କରି ଦେଇଛନ୍ତି । ସାମର୍ଥ୍ୟ ନଥିବାରୁ ସେ କୌଣସି ଅଭିଯୋଗ କରିପାରୁନଥିଲେ । ଏବେ ରମେଶ ଗିରଫ ହେବା ପରେ ମହିଳା ଜଣଙ୍କ ସ୍ପେଶାଲ୍ ସ୍କ୍ୱାଡ୍କୁ ଫୋନ୍ କରି ଜମି ଦେବା ନାଁରେ ୬୦ ହଜାର ଟଙ୍କା ଠକିବା ସହ ସ୍ୱାମୀଙ୍କ କିଡନୀ ବିକିବା କଥା କହିଛନ୍ତି । ସେହିଭଳି କେନ୍ଦୁଝର ତେଲକୋଇ ଅଞ୍ଚଳରେ ଜଣେ ବ୍ୟକ୍ତି ମଧ୍ୟ ଅଭିଯୋଗ କରୁଛନ୍ତି ରମେଶ ତାଙ୍କ ପତ୍ନୀଙ୍କ କିଡ୍ନୀ କାଢ଼ି ବିକ୍ରି କରି ଦେଇଛନ୍ତି । ପୁଲିସ୍ ଏ ବାବଦରେ ଅଧିକ ତଦନ୍ତ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।