ଶ୍ରୀରାମ ନବମୀ
ଲଙ୍କାପୁରୀକୁ ସେତୁବନ୍ଧ ବାନ୍ଧିବା ସମୟରେ ନଳ ଓ ନୀଳ ଦୁଇଭାଇ ପଥର ଉପରେ ‘ରାମ’ ନାମ ଲେଖିଦେବା ପରେ ବାନର ସେନା ସେହି ପଥରକୁ ନେଇ ସାଗରରେ ଫିଙ୍ଗି ଦେଉଥାଆନ୍ତି ଏବଂ ତାହା ଭାସି ଭାସି ବନ୍ଧ ନିର୍ମାଣ ହେବାରେ ଲାଗିଥାଏ । ମାନବୀୟ ଲୀଳାରେ ପ୍ରଭୁ ରାମଚନ୍ଦ୍ର ଅନତି ଦୂରେ ଥାଇ ଦେଖୁ ଥାଆନ୍ତି
ପ୍ରଭୁ ନିଜେ ଖଣ୍ଡେ ପଥର ନେଇ ସମୁଦ୍ର ମଧ୍ୟକୁ ଫିଙ୍ଗିଦେଲେ ମାତ୍ର ତାହା ବୁଡିଗଲା, ପ୍ରଭୁ ମନେ ମନେ ବିସ୍ମିତ ହେଲେ ଯେ ମୋ ନାମ ଲେଖିଦେଲେ ପଥର ଭାସୁଛି ଅଥଚ ମୁଁ ନିଜେ ପଥର ସମୁଦ୍ରକୁ ପକାଇଲେ ତାହା ବୁଡି ଯାଉଛି! ଏହି ଦୃଶ୍ୟ ହନୁମାନ ଦୂରରୁ ଥାଇ ପ୍ରଭୁଙ୍କ ବିସ୍ମୟର କାରଣ ଜାଣି ପ୍ରଭୁଙ୍କୁ ସୂଚନା ଦେଇ କହିଲେ, ଯାହାକୁ ପ୍ରଭୁ ଶ୍ରୀରାମ ଛାଡି ଦେବେ ତାହା କିପରି ଭାସିବ, ତାହା ତ ନିଶ୍ଚୟ ବୁଡିବ । ଅର୍ଥାତ୍ ପ୍ରଭୁ ଶ୍ରୀରାମ ଯାହାର ହାତ ଛାଡିବେ ସେ ତ ସଂସାର ସାଗରରେ ନୁଶ୍ଚିତ ବୁଡିବ । ଏଣୁ ରାମ ନାମ ହିଁ ସଂସାର ସାଗରରୁ ପାରି ହେବା ପାଇଁ ଏକମାତ୍ର ମାଧ୍ୟମ ।
ରାମନାମର ମହାତ୍ମ୍ୟ ଅତି ମହାନ । ଏପରିକି ଏହାର ଓଲଟା ନାମ ‘ମରା’ ‘ମରା’ ରତ୍ନାକର ଦସ୍ୟୁକୁ ବାଲ୍ମିକୀରେ ପରିଣତ କରିପାରେ । ଯେଉଁନାମକୁ ସ୍ମରଣକଲେ ମାହପାତକ ଦୋଷ ଖଣ୍ଡନ ହୋଇ ମଣିଷ ମୋକ୍ଷପ୍ରାପ୍ତି ହୁଏ । ଯେଉଁ ନାମକୁ ଉଚ୍ଚାରଣକରି ହନୁମାନ ବିସ୍ତୃତ ସମୁଦ୍ରକୁ ଲଙ୍ଘି ଲଙ୍କାରେ ପହଞ୍ଚି ଅଶୋକବନରେ ସୀତାଙ୍କୁ ଠାବ କରିପାରିଥିଲେ, ଯେଉଁ ନାମକୁ ଉଚ୍ଚାରଣ କରି ସମଗ୍ର ବିଶାଳ ପର୍ବତ ସହ ବିଶଲ୍ୟକରଣୀ ବା ମୃତୁ୍ୟ ସଞ୍ଜିବନୀ କାନ୍ଧରେ ବୁହାଇ ଆଣିଥିଲେ ଓ ଲକ୍ଷ୍ମଣଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା ।
ଶ୍ରୀରାମ ଧରାପୃଷ୍ଠରୁ ବିଦାୟ ନେବା ପୁର୍ବରୁ ଭକ୍ତଶ୍ରେଷ୍ଠ ହନୁମାନଙ୍କୁ କହିଲେ ତୁମେ ଏବେ ମୁକ୍ତିପ୍ରାପ୍ତ ହୋଇ ବୈକୁଣ୍ଠକୁ ଯାଇପାର । ମାତ୍ର ହନୁମାନ କହିଲେ ମୋର ପ୍ରଭୁ ଯେଉଁ ଧରାପୃଷ୍ଠରେ ପାଦ ଦେଇଛନ୍ତି ମୁଁ ସେହିଠାରେ ରହି ମୋ ପ୍ରଭୁଙ୍କ ନାମ ଜପ କରୁଥିବି । ଆପଣ ନ ଥାଇପାରନ୍ତି, କିନ୍ତୁ ଏହି ‘ରାମ’ ନାମ ଚରିନ୍ତନ ସତ୍ୟ ଯାହା ସବୁଦିନ ପାଇଁ ରହିଥିବ । ମୁଁ ସର୍ବଦା ମୋ ପ୍ରଭୁଙ୍କ ନାମ ସୁମରଣା କରୁଥିବି ।
‘ହରେ ରାମ ହରେ ରାମ, ରାମ ରାମ ହରେ ହରେ ।’ ଯାହାକୁ କଳିଯୁଗରେ ମହାମନ୍ତ୍ର ଭାବେ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତି ସ୍ୱର୍ଗବାସ ହେଲେ ଲୋକମାନେ ଶ୍ମଶାନକୁ ନେବା ବେଳେ ‘ରାମ ନାମ ସତ୍ୟ ହେ’ ବୋଲି ଉଚ୍ଚାରଣ କରି ଚାଲି ଥାଆନ୍ତି । କେବଳ ନାମ ହିଁ ସତ୍ୟ । ଏହି ରାମ ନାମକୁ ଜପ କଲେ ମଣିଷ ମଧ୍ୟରୁ ସମସ୍ତ କଳୁଷ ନାଶ ଯାଇ ମୁକ୍ତିକାମୀ ହୁଏ । କେବଳ ରାମ ନାମ ଜପକଲେ ହିନ୍ଦୁ ଶାସ୍ତ୍ରରେ ୩୩ କୋଟି ଦେବତାଙ୍କର ଆର୍ଶିବାଦ ପ୍ରାପ୍ତ ହୁଅନ୍ତି । ଭଗବାନ ଶଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ଏହି ‘ରାମ’ ନାମ ହିଁ ଜପ କରିଥାଆନ୍ତି ।
ମହାତ୍ମା ଗାନ୍ଧି ‘ହେ ରାମ’ କହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଲେକ୍ଜାଣ୍ଡରଙ୍କୁ ବିଦେଶ ଜୟ କରି ଫେରିବା ସମୟରେ ତାଙ୍କୁ ପଚରାଯାଇଥିଲା ଭାରତର ବିଶେଷତ୍ୱ କଣ? ଉତ୍ତରରେ ସେ କହିଥିଲେ ‘ରାମ୍ କି କାହାନୀ ଔର ଗଙ୍ଗାକି ପାନି’ ।
ଶ୍ରୀରାମ ହେଉଛନ୍ତି ଭଗବାନ ନାରାୟଣଙ୍କର ସପ୍ତମ ଅବତାର । ବ୍ରହ୍ମାଙ୍କ ବରରେ ବଳୀୟାନ ରାବଣର ପାପାଚାର ପ୍ରକୋପରେ ତ୍ରାହି ତ୍ରାହି ଡାକୁଥିବା ଦେବତାମାନଙ୍କର ଆକୁଳ ପ୍ରାର୍ଥନାରେ ନାରାୟଣ ରାମ ଅବତାର ଭାବେ ପୃଥିବୀ ପୃଷ୍ଠରେ ଧରାବତରଣ କରିଥିଲେ ।
ମହର୍ଷି ବଶିଷ୍ଠଙ୍କ ପରାମର୍ଶ କ୍ରମେ ଅପୁତ୍ରିକ ଦଶରଥ ପୁତ୍ରେଷ୍ଟି ଯଜ୍ଞ କରାଇଥିଲେ । ଯଜ୍ଞର ପୂର୍ଣ୍ଣାହୁତି ସମୟରେ ପାୟସାନ୍ନ ରାଜା ତାଙ୍କ ପ୍ରିୟ ୩ ରାଣୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ବର୍ଷକ ପରେ କୌଶଲ୍ୟାଙ୍କ ଔରସରୁ ରାମ, କକୈୟୀଙ୍କ ଔରସରୁ ଭରତ ଓ ସୁମିତ୍ରାଙ୍କ ଔରସରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମ ଗ୍ରହଣ କରିଥିଲେ ।
ପ୍ରଭୁ ଶ୍ରୀରାମ ପିତା ସୂର୍ଯ୍ୟବଂଶୀ ଦଶରଥ ଓ ମାତା କୌଶଲ୍ୟାଙ୍କ କୋଳମଣ୍ଡନ କରି ଚୈତ୍ରମାସ ଶୁକ୍ଳପକ୍ଷ ନବମୀଯୁକ୍ତ ପୁନର୍ବସୁ ନକ୍ଷତ୍ରରେ ରବି ମେଷ ରାଶିରେ, ମଙ୍ଗଳ ମକର ରାଶିରେ, ବୃହସ୍ପତି ଓ ଚନ୍ଦ୍ର କର୍କଟ ରାଶିରେ, ଶୁକ୍ର ମୀନରାଶିରେ ଅବସ୍ଥାନ କରୁଥିବା ସମୟରେ ମଧ୍ୟାହ୍ନରେ କର୍କଟ ଲଗ୍ନରେ ଧରାବତରଣ କରିଥିଲେ । ପ୍ରତିବର୍ଷ ଏହି ତିଥିରେ ଶ୍ରୀରାମ ନବମୀ ପର୍ବ ପାଳିତ ହୁଏ । ଏହା ଏକ ସର୍ବଭାରତୀୟ ହିନ୍ଦୁ ପର୍ବ । ଭଗବାନ ରାମଙ୍କର ରାମରାଜ୍ୟ ଓ ରାମାୟଣ କଥାବସ୍ତୁ ସହିତ ସମସ୍ତେ ପରିଚିତ । ଭାରତୀୟମାନଙ୍କର ରାମ ହିଁ ପ୍ରାଣ ସ୍ୱରୁପ । ପାପାଘ୍ନ, ପୁଣ୍ୟପ୍ରଦ ଓ ପରମ ପବିତ୍ର ‘ରାମ’ ଶବ୍ଦର ଉଚ୍ଚାରଣରେ ଶୋ୍ରତା ଓ ବକ୍ତାଙ୍କ ମନରେ ଆନନ୍ଦ ଓ ଆଦର୍ଶର ଯେଉଁ ଅପୂର୍ବ ସମନ୍ୱୟ ଘଟେ ତାହାର ବାସ୍ତବିକ ତୁଳନା ନାହିଁ । ତେଣୁ ଏହିି ତିଥିରେ ବ୍ରତ ପାଳନ କରିବା ଅତ୍ୟନ୍ତ ପୁଣ୍ୟଫଳ ପ୍ରଦାୟକ ।
ରାମନବମୀର ସ୍ନାନ, ଦାନ ତର୍ପଣାଦି ଅଭୀଷ୍ଟଦାୟିନୀ । ରାମନବମୀର ବ୍ରତ ବିଧାନରେ କୁହାଯାଇଛି ଯେ ବ୍ରତର ପୂର୍ବଦିନ ହବିଷାନ୍ନ ଭୋଜନ କରିବ । ନବମୀ ଦିନ ବ୍ରାହ୍ମ ମୂହୁର୍ତ୍ତରେ ଶଯ୍ୟା ତ୍ୟାାଗ ପୂର୍ବକ ପ୍ରାତଃସ୍ନାନ ପରେ ବ୍ରତ ସଂକଳ୍ପ କରିବ ଏବଂ ଶାଳଗ୍ରାମ ଶିଳାରେ ତୁଳସୀ ପତ୍ର ଦ୍ୱାରା ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି କଳ୍ପନା କରି ପୂଜା ଅର୍ଚ୍ଚନା କରିବା ବିଧେୟ । ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା ସହିତ ହନୁମାନ ଉପାସନା, ରାମାୟଣ ଓ ରାମଚରିତ ମାନସ ପାରାୟଣ ଏବଂ ଦରିଦ୍ର ନାରାୟଣ ସେବା କରିବା ମଧ୍ୟ ବିଧି ରହିଛି ।
ଯେଉଁମାନେ ଭକ୍ତି ଓ ନିଷ୍ଠାର ସହିତ ଏହି ବ୍ରତ ପାଳନ କରନ୍ତି ସେମାନେ ମନୁଷ୍ୟ ଜନ୍ମରୁ ମୁକ୍ତି ଲାଭ କରି ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି । ବିଧିବିଧାନରେ ବ୍ରତ ପାଳନ କଲେ ଏବଂ ଭକ୍ତିପୁତ୍ତରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା କଲେ ବ୍ରତୀ ଧନ, ଜନ, ଗୋପଲକ୍ଷ୍ମୀ ସମେତ ପରମାର୍ଥôକ ସୁଖ ଶାନ୍ତି ଲାଭ କରେ । ରାମ ଉପାସକମାନେ ସର୍ବଦା ନିରୋଗ ରହନ୍ତି ଏବଂ ସର୍ବତ୍ର ବିଜୟୀ ହୁଅନ୍ତି । ଓଡିଶାର ପୁରପଲ୍ଲୀରେ ସାହି ଯାତ୍ରା ସୁଆଙ୍ଗମାନେ ଅନୁଷ୍ଠିତ ହୋଇ ଭଗବାନ ଶ୍ରୀରାମଙ୍କର ଆଶୀର୍ବାଦ କାମନା କରିବା ରାମନବମୀର ବିଶେଷ ଆକର୍ଷଣ ।
ରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇ ପ୍ରଜାମାନଙ୍କୁ ପୁତ୍ର ଭଳି ପାଳନ କରୁଥଲେ । ସତ୍ୟ, ଧର୍ମ ଓ ନ୍ୟାୟ ପରାୟଣତା ପାଇଁ ଅଯୋଧ୍ୟାର ପ୍ରଜାଗଣ ସୁଖଶାନ୍ତିରେ ଦିନ କାଟୁଥିଲେ । ରାମରାଜ୍ୟର ସୁଖ ଶାନ୍ତି ଅତୁଳନୀୟ, ତେଣୁ ରାମଙ୍କର ଜୀବନ ଚରିତ ଓ ଆଦର୍ଶ କାହାଣୀ ଯୁଗ ଯୁଗ ଧରି ଲୋକମୁଖରେ ପ୍ରଚଳିତ ହୋଇ ଆସିଛି । ସତ୍ୟ, ଧର୍ମ , ନ୍ୟାୟ, ତ୍ୟାଗ ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ପ୍ରଭୁ ଶ୍ରୀରାମ ପିତୃ ମାତୃଭକ୍ତି, ଭାତୃ ସ୍ନେହ ଓ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । ସମାଜରେ ନାରୀମାନଙ୍କୁ ଅସମ୍ମାନ କଲେ ଶାସ୍ତିବିଧାନ କରିଛନ୍ତି ।
ପାପୀଙ୍କୁ ଓ ଦୁଷ୍ଟଙ୍କୁ ଦଣ୍ଡ ଦେଇଛନ୍ତି । ରାବଣ ପରି ଦୁଷ୍ଟ ରାକ୍ଷସଙ୍କୁ ମାରି ଧର୍ମ ସଂସ୍ଥାପନ କରିଛନ୍ତି । ପିତୃ ସତ୍ୟପାଳନ କରି ରାଜଉଆସ ଛାଡି ୧୪ବର୍ଷ ବନବାସ ଯାଇ ପିତୃ ସତ୍ୟ ରକ୍ଷାକରିଛନ୍ତି । ‘ପ୍ରାଣ ଯାଏ ପର ବଚନ ନ ଯାଏ, ଏଇ ତ ରଘୁକୂଳ ରୀତି’ରେ ସୁଗ୍ରୀବ, ବିଭିଷଣଆଦିଙ୍କୁ ଯେଉଁ ବଚନ ଦେଇଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଯାହାଙ୍କର ଚରଣ ସ୍ପର୍ଶରେ ପଥର ଅହଲ୍ୟାରେ ପରିଣତ ହୋଇଛନ୍ତି ।
ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଜୀବନାଦର୍ଶ କେବଳ ଭାରତୀୟମାନଙ୍କୁ ନୁହେଁ ବିଭିନ୍ନ ଦେଶର ଜନଜୀବନକୁ ପ୍ରଭାବିତ କରିଛି । ପ୍ରଭୁଙ୍କ ଜୀବନାଦର୍ଶ ଓ ଚରିତ୍ରାମୃତକୁ ବର୍ତ୍ତମାନ ସମାଜର ମଣିଷ କିଞ୍ଚିତ୍ ମାତ୍ରାରେ ଆପଣାଇ ପାରିଲେ ରାମରାଜ୍ୟର ପରିକଳ୍ପନା ବେଶୀ ଦୂର ନୁହେଁ ।