
ନୂଆଦିଲ୍ଲୀ: ଲାଭେର କପରୁ ଓହରି ଯାଇଛନ୍ତି ସ୍ପେନର ଟେନିସ ତାରକା ରାଫେଲ ନାଡାଲ। ସେ କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡେରରଙ୍କ ସହ ମିଶି ଡବଲ୍ସ ମ୍ୟାଚ୍ ଖେଳିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଫେଡରର ଏହି ମ୍ୟାଚ୍ ପରେ କାନ୍ଦି ନିଜର ପ୍ରିୟ ଖେଳ ଟେନିସରୁ ଅବସର ନେଇଛନ୍ତି। ନାଡାଲ ମଧ୍ୟ ତାଙ୍କ କାନ୍ଦ ଦେଖି ନିଜର ଲୁହକୁ ଅଟକାଇ ପାରି ନଥିଲେ। ଫେଡେରରଙ୍କ ପାଇଁ ନାଡାଲ କାନ୍ଦୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ହିଁ ଲାଭେର କପରୁ ବ୍ୟକ୍ତିଗତ କାରଣ ପାଇଁ ନାଡାଲ ଓହରି ଯାଇଥିବା ଘୋଷଣା କରିଛନ୍ତି। ଗତ ସପ୍ତାହରେ ଟେନିସରୁ ଅବସର ନେବାକୁ ଘୋଷଣା କରିଥିବା ଫେଡେରର ନିଜର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍ ନାଡାଲଙ୍କୁ ସାଥୀ କରି ୟୁରୋପ ଟିମ୍ ପକ୍ଷରୁ ଖେଳିଥିଲେ। ଫେଡାଲ ନାମରେ ପରିଚିତ ଏହି ଯୋଡ଼ି ଟିମ୍ ୱାର୍ଲଡରେ ଥିବା ଜ୍ୟାକ ସକ ଓ ଫ୍ରାନ୍ସେସ ଟାଇଫେଙ୍କ ଠାରୁ ୬-୪, ୬(୨)-୭ ଓ ୯-୧୧ରେ ହାରି ଯାଇଛନ୍ତି। ମ୍ୟାଚ୍ ହାରିଥିଲେ ମଧ୍ୟ ଟିମ ୟୁରୋପ ଓ ଟିମ୍ ୱାର୍ଲଡ ଏକାଠି ଫେଡରରଙ୍କୁ ବିଦାୟ ଜଣାଇଥିଲେ। ନାଡାଲ ଓ ଫେଡେରର ଚୀର ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା। ଉଭୟ ପରସ୍ପରକୁ ୪୦ଟି ମ୍ୟାଚ୍ରେ ଭେଟିଥିଲେ। ମ୍ୟାଚ୍ ବେଳେ ମୁହାଁମୁହିଁ ହେଉଥିଲେ ମଧ୍ୟ ଫେଡେରର ନିଜର ଶେଷ ମ୍ୟାଚ୍ ପାଇଁ ନାଡାଲଙ୍କୁ ହିଁ ବାଛିଥିଲେ। ଫେଡେରରଙ୍କ ସହ ଏକାଠି ମ୍ୟାଚ ଖେଳିବା ପରେ ନାଡାଲ କହିଥିଲେ ଯେ “ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଆମ ଖେଳରେ ଏହା ହେଉଛି ଐତିହାସିକ ମୁହୂର୍ତ୍ତ। ଦୀର୍ଘ ବର୍ଷ ହେଲାଣି ଆମେ ପରସ୍ପର ସହ ଅନେକ କିଛି କଥା ଶେୟାର କରିଛୁ। ଯେତେବେଳେ ରୋଜର ଖେଳ ଛାଡ଼ୁଛନ୍ତି ଏହା ମୋ ଜୀବନର ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଫେଡେରର ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ। ସେ ସମୟକୁ ବର୍ଣ୍ଣାନା କରିବା କଷ୍ଟାକର।