ଦୁର୍ଘଟଣାମୁଖ୍ୟ ଖବର

ନିଟ୍‌ ଚାପ ସହିପାରିଲେନି ଛାତ୍ର: ଭଦ୍ରକରେ ଯୁବକଙ୍କ ମୃତ୍ୟୁ, ପରିବାରରେ ଶୋକ

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଟ୍‌ ପରୀକ୍ଷାରେ ଆଶାଅନୁଯାୟୀ ପ୍ରଦର୍ଶନ ହୋଇନଥିବା ଭାବି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ମୃତ ଛାତ୍ର ହେଲେ ଜ୍ୟୋତି ପ୍ରକାଶ ବାରିକ। ସେ ତିହିଡି ବ୍ଲକ ଅନ୍ତର୍ଗତ ନୁନ୍ଦର ଗ୍ରାମର ଗିରିଧାରୀ ବାରିକଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗିରିଧାରୀ ବାରିକ ଦୀର୍ଘଦିନ ଧରି ଭଦ୍ରକ ସହରରେ ଏକ ଭଡାଘରେ ରହି ଚା ଦୋକାନ କରି ପରିବାର ଚଳାଉଥିଲେ। ଜ୍ୟୋତି ପ୍ରକାଶ ଚଳିତ ବର୍ଷ ଦ୍ୱିତୀୟଥର ପାଇଁ NEET ପରୀକ୍ଷା ଦେଇଥିଲେ। ପୂର୍ବବର୍ଷ ସେ ଭୁବନେଶ୍ୱରରେ ପାଠପଢ଼ା କରୁଥିବା ସମୟରେ ପ୍ରଥମଥର ପରୀକ୍ଷା ଦେଇ ୩୩୦ ମାର୍କ ପାଇଥିଲେ। ପରେ ଭଦ୍ରକ ଫେରି ଆସି ଘରେ ରହି ପୁଣିଥରେ ପ୍ରସ୍ତୁତି ଜାରି ରଖିଥିଲେ।

ପରୀକ୍ଷାରେ ଆଶାମାନ ଫଳ ମିଳିବ ନାହିଁ ବୋଲି ଭାବି ସେ ଗତ କିଛିଦିନ ଧରି ମାନସିକ ଚାପରେ ଥିବା କୁହାଯାଉଛି। ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବ କି ନାହିଁ, ସେନେଇ ସେ ଚିନ୍ତିତ ଥିଲେ। ଗତକାଲି ରାତିରେ ବାପା ଓ ମାଆ ଦୋକାନକୁ ଯାଇଥିବା ବେଳେ ଘରେ ଏକାକୀ ଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

ପରିବାର ଲୋକେ ଘରକୁ ଫେରି ଜ୍ୟୋତିଙ୍କୁ ଅଚେତନ ଅବସ୍ଥାରେ ଦେଖି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାର ଓ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Show More

Related Articles

Back to top button