
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ, ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି । ଯେଉଁ ୨ କୋଟି ଟିକା ଦିଆଯାଉଛି, ତାହା ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉ । ସବୁ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ କହିଛନ୍ତି ।