କେନ୍ଦୁଝର ସହରରେ ବିଳମ୍ୱିତ ରାତିରେ ଦନ୍ତା ହାତୀର ଉତ୍ପାତ

କେନ୍ଦୁଝର : କେନ୍ଦୁଝର ସହରରେ ବିଳମ୍ୱିତ ରାତିରେ ଦେଖିବାକୁ ମିଳିଛି ଏକ ଦନ୍ତା ହାତୀର ଉତ୍ପାତ। ଗୋଟିଏ ଗୋଠ ଛଡା ଦନ୍ତା କେନ୍ଦୁଝର ବନାଞ୍ଚଳର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଚାଲି ଆସି ମଙ୍ଗଳବାର ରାତ୍ରି ତମାମ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ବୁଲିଥିଲା। କିଛି ସ୍ଥାନରେ ପାଚେରୀ ଭାଙ୍ଗିବା ସହିତ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଟାଉନ ଭିତରେ ଗୋଠଛଡ଼ା ଦନ୍ତା ହାତୀର ପ୍ରବେଶ ଦେଖି ଲୋକେ ଭୟଭିତ ହୋଇଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ସିଦ୍ଧମଠ ଜଙ୍ଗଲରୁ ଗୋଟିଏ ମାଈ ଏବଂ ଗୋଟିଏ ବିରାଟକାୟ ଦନ୍ତା ହାତୀ ଜଙ୍ଗଲରୁ ଚାଲି ଆସିଥିଲେ। ମାଈ ହାତୀଟି ରାଙ୍କି ଆଡ଼କୁ ଚାଲି ଯାଇଥିଲା। ଦନ୍ତା ହାତୀଟି ପୁରୁଣା ବଜାର ଠାରୁ ବାହାରି ସହରରେ ବୁଲୁଥିବା ଲୋକେ କହୁଛନ୍ତି । ହାତୀ ବାହାରିବା ଖବର ପାଇ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ସହରରୁ ବିଦ୍ୟୁତ କାଟି ବ୍ଳାକ ଆଉଟ କରି ଦେଇଥିଲେ । ଏହି ସମୟରେ ଗଜରାଜ ପୁରୁଣା ବଜାର ଠାରୁ ଆଟୋପୋର , ମେଡ଼ିକାଲ , ଭାଲୁକି ପାତଳା , ମଣ୍ଡୁଆ ପ୍ରଭୃତି ଅଞ୍ଚଳରେ ବୁଲିଥିଲା। ସେଠାରୁ ପୁଣି ମାଇନିଂ , ଗାୟତ୍ରୀ କଲୋନୀ, କାଶିପୁର , ମଣ୍ଡୁଆ ହୋଇ ପୁଣି ଦନ୍ତା ହାତୀଟି ମାଈ ହାତୀ ସହ ଫେରିଯାଇଛି ସିଦ୍ଧମଠ ଜଙ୍ଗଲକୁ । ରାତି ତମାମ ବନ ବିଭାଗ ହାତୀ ଓ ଜନ ସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ନାକେଦମ ହୋଇଥିଲେ । ବହୁ ଚେଷ୍ଟା ଫଳରେ ଶେଷ ରେ ହାତୀ ଦୁଇଟିକୁ ଜଙ୍ଗଲ ଭିତରକୁ ଘୋଉଡାଇବାରେ ସଫଳ ହୋଇଛି ବନ ବିଭାଗ । ହେଲେ ହଠାତ ରାତିରେ ଦନ୍ତା ହାତୀ ସହରରେ ବୁଲିବା ନେଇ ଭୟଭିତ ହୋଇପଡ଼ିଥିଲେ ସହରବାସୀ ।