ଓଡିଆ ଝିଅ ହେଲା ଜର୍ମାନୀ ବୋହୂ
ପ୍ରେମ ଏମିତି ଏକ ଶକ୍ତିଶାଳୀ ଭାବପ୍ରବଣତା ଯାହାକୁ ରୋକିବା କଷ୍ଟକର ।

ପ୍ରେମ କାହାକୁ କୋଉଠୁ ନେଇ କୋଉଠି ବସେଇ ଦିଏ ତାହା କାହାକୁ ଜଣାନଥାଏ । ଓଡିଆ ଝିଅ ହେଲା ଜର୍ମାନୀ ବୋହୂ । ଆଉ ଏ ସବୁ ସମ୍ଭବ ହୋଇଛି କେବଳ ଅଢେଇ ଅକ୍ଷର ପ୍ରେମ ପାଇଁ। ନ ହେଲେ ପୋଲାଣ୍ଡରେ ବନ୍ଧୁ ବାନ୍ଧି ନ ଥାନ୍ତେ ବାଲେଶ୍ୱର ରାମଚନ୍ଦ୍ର ବାବୁ । ପ୍ରେମ ଏମିତି ଏକ ଶକ୍ତିଶାଳୀ ଭାବପ୍ରବଣତା ଯାହାକୁ ରୋକିବା କଷ୍ଟକର । ଯିଏ ଥରେ ପ୍ରେମରେ ପଡିଛି..ପ୍ରେମକୁ ବୁଝିଛି ସେ ହିଁ ଜାଣିଛି ତାହାର ମହତ୍ତ୍ୱ । ଠିକ୍ ସେମିତି ଏଠି ବି ହୋଇଛି । ପ୍ରେମିକାକୁ ଦେଖା କରିବାକୁ..ପ୍ରେମିକାକୁ ସାତ ଜନ୍ମର ସାଥୀ କରିବାକୁ ଜର୍ମାନୀରୁ ଧାଇଁ ଆସିଛି ପ୍ରେମିକ । ଆଉ ଆମ ଓଡ଼ିଶା ମାଟିରେ ମଥାରେ ପିନ୍ଧିଛି ଦୋଳମକୁଟ। ଅଗ୍ନୀ ଆଉ ସାତ ଦିଗପାଳଙ୍କୁ ସାକ୍ଷୀ ରଖି ଓଡ଼ିଆ ଝିଅ ସୋନାଲି ପାଲଟିଛନ୍ତି ଜର୍ମାନୀର ବୋହୂ।ବାଲେଶ୍ୱରର ଝିଅ ସୋନାଲିଙ୍କ ପାଇଁ ବର ଆସିଛି ଜର୍ମାନୀରୁ । ମାଇକେଲ୍ ୱେଜୋଗିକ୍ । ପୋଲାଣ୍ଡରେ ଘର । ହେଲେ ଜର୍ମାନୀର ଏକ କମ୍ପାନୀରେ ସେ ଚାକିରି କରନ୍ତି । ଆଉ ସେଇଠି ଓଡିଆ ଝିଅ ସୋନାଲିଙ୍କ ପ୍ରେମରେ ପଡିଯାଇଥିଲେ ମାଇକେଲ୍ । ଯାହା ତାଙ୍କୁ ସୁଦୂର ଜର୍ମାନୀରୁ ଓଡିଶାକୁ ଟାଣି ଆଣେ । ବିଏସଏନଏଲ ଏଜିଏମ ରାମଚନ୍ଦ୍ର ନାୟକଙ୍କ ବଡ ଝିଅ ସୋନାଲି । କମ୍ପୁଟର ସାଇନ୍ସରେ ପାଠ ପଢିବା ପରେ ମୁମ୍ବାଇରେ ଚାକିରି କରନ୍ତି । ପରେ ଆର୍ଟିଫିସିଆଲ ଇନଣ୍ଟେଲିଜେନ୍ସରେ ଏମଏସ କରିବାକୁ ଜର୍ମାନୀ ଯାଇଥିଲେ । ଆଉ ସେଇଠି ଦେଖା ହେଲା ମାଇକେଲଙ୍କ ସହ । ସୋନାଲିଙ୍କ ସିନିଅର ଭାବରେ କାମ କରନ୍ତି ମାଇକେଲ୍ । ଅଜଣା ଅଚିହ୍ନା ସହରରେ କେହି ଜଣେ ନିଜର ଲାଗେ । କାମ କରୁ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠେ । ପରେ ପରେ ଦୁହେଁ ଦୁହିଁଙ୍କୁ ମନ ଦେଇ ବସନ୍ତି। ଆଉ ତା ପରେ ପୁରା ରୀତି ନୀତିରେ ସୋନାଲିଙ୍କ ଆପଣେଇବାକୁ ପଣ କରନ୍ତି ମାଇକେଲ । ସେଥିପାଇଁ ଜର୍ମାନୀରୁ ନିଜର ସାଙ୍ଗସାଥୀ, ଓ ବନ୍ଧୁ ପରିଜନଙ୍କୁ ନେଇ ବାଲେଶ୍ୱରରେ ପହଞ୍ଚଛନ୍ତି । ଆଉ ତା ପରେ ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ ହୋଇଛି । ଏପଟେ ଝିଅ ଘର ଲୋକ ମଧ୍ୟ ଏଥିରେ ସହମତି ପ୍ରକାଶ କରନ୍ତି । ଦୁଇ ମନ ନୁହେଁ ଦୁଇ ପରିବାରର ମନ ମିଶିଲା । ଏବଂ ବିବାହ ସମ୍ପନ ହେଲା । ଆଜିକା ଦୁନିଆରେ ପ୍ରେମର ଭାଷା ବଦଳୁଛି । ଯେଉଁଠି ଗୋଟେ ରିଙ୍ଗ୍ ରେ ଫୋନ ନ ଉଠାଇଲ ସମ୍ପର୍କ ଭାଙ୍ଗିବାକୁ ଗୋଟେ ମିନିଟ୍ ଲାଗୁନି ସେଇଠି ଏହି ବିବାହ ସମାଜକୁ ଏକ ସୁନ୍ଦର ଉଦାହରଣ ଦେଇଛି । ପ୍ରେମର ମୂଲ୍ୟ କ’ଣ ଏ ଦୁହିଁଙ୍କଠୁ ଶିଖିବା କଥା ।