ପୁଣି ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦାମ୍

ହୁ ହୁ ହୋଇ ବଢୁଛି ଏଲ୍ପିଜି ସିଲିଣ୍ଡର ଦାମ୍ । ପ୍ରତି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୪ କେଜି ସିଲିଣ୍ଡର ପିଛା ଦାମ୍ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ପୂର୍ବରୁ ଏହି ଦାମ୍ ୮୮୪ ଟଙ୍କା ୫୦ ପଇସା ଥିଲା ।
ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ମୁମ୍ବାଇରେ ଏଲପିଜି ମୂଲ୍ୟ ୮୪୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଚେନ୍ନାଇରେ ସବସିଡି ନଥିବା ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୧ ତାରିଖରେ ତୈଳ କମ୍ପାନୀ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୪୩ ଟଙ୍କା ୫ ପଇସା ବଢ଼ାଇଥିଲେ । କିନ୍ତୁ ସେତେବେଳେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ିନଥିଲା ।
ଚଳିତ ବର୍ଷ ଏଲ୍ପିଜି ଘରୋଇ ସିଲିଣ୍ଡରରେ ୨୦୫ ଟଙ୍କା ଯାଏଁ ବୃଦ୍ଧି ହୋଇସାରିଲାଣି । ଗତ ବର୍ଷ ତୁଳନାରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ଦୁଇ ଗୁଣା ବଢ଼ିଛି । ୨୦୧୪ ମାର୍ଚ୍ଚ ୧ ସୁଦ୍ଧା ଘରୋଇ ଗ୍ୟାସର ଖୁଚୁରା ବିକ୍ରୟ ମୂଲ୍ୟ ସିଲିଣ୍ଡର ପିଛା ୪୧୦.୫ ଟଙ୍କା (୧୪.୨ କିଲୋଗ୍ରାମ) ଥିଲା । ସେପ୍ଟେମ୍ବର ଆରମ୍ଭରେ, ସବସିଡି ନଥିବା ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ପରେ ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କା ହୋଇଥିଲା ।
ଏହାପୂର୍ବରୁ ଅଗଷ୍ଟ ଆରମ୍ଭରେ ମଧ୍ୟ ଏଲପିଜି ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ପରେ ଏଲପିଜି ସିଲିଣ୍ଡର ୮୫୯.୫ ଟଙ୍କା ହୋଇଗଲା । ଏଥି ସହିତ ଜୁଲାଇରେ ମଧ୍ୟ ଗ୍ୟାସର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ପରେ ଦିଲ୍ଲୀରେ ଏଲପିଜି ମୂଲ୍ୟ ୮୩୪.୫୦ଟଙ୍କା ରେ ପହଞ୍ଚିଥିଲା ।