ରାଜ୍ୟରେ ବଢୁଛି ବାତ୍ୟା ଆଶଙ୍କା । ବାତ୍ୟା ସମ୍ଭାବନା ନେଇ ଅଧିକାଂଶ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଆକଳନ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆକଳନ କରାଯାଇନାହିଁ । ତଥାପି ବାତ୍ୟା ଆଶଙ୍କା ଥିବା ଅଧିକାଂଶ ମଡେଲ୍ ଓ ବହୁ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏପରିକି ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ସମ୍ଭାବନା ଥିବା ଆକଳନ କରାଯାଉଛି । ତେଣୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି ।ଏହା ପ୍ରଭାବରେ ଆସନ୍ତା ୨୩ରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶାରେ ୨୪ରୁ ୨୬ ଯାଏଁ ପ୍ରବଳ ବର୍ଷା ହୋଇପାରେ ।
ସୋଆ ଜଳବାୟୁ ପରିବର୍ତ୍ତନ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକାଂଶ ପାଣିପାଗ ମଡେଲ୍ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । ବାତ୍ୟା ହେବା ନେଇ ବର୍ତ୍ତମାନ ପାଣିପାଗ ମଧ୍ୟ ଅନୁକୂଳ ରହିଛି । ବିଭିନ୍ନ ମଡେଲ୍ର ତଥ୍ୟ ମୁତାବକ, ଆସନ୍ତା ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁପାରେ । ଉପକୂଳ ଛୁଇଁବାବେଳକୁ ଏହା ବାତ୍ୟା ଅବସ୍ଥାରେ ରହିବା ସମ୍ଭାବନା ଅଛି । ଆନ୍ଧ୍ରର ଶ୍ରୀକାକୁଲମରୁ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ଅଛି ।
୨୪ରୁ ୨୬ ତାରିଖ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ୨୧ ତାରିଖରେ ହିଁ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ । ଯଦି ବାତ୍ୟା ୨୪ରେ ସ୍ଥଳଭାଗ ଛୁଇଁବ, ତେବେ ୨୬ବେଳକୁ ବର୍ଷା କମିଯିବ । ଯଦି ବାତ୍ୟା ୨୫ରେ ସ୍ଥଳଭାଗକୁ ପ୍ରବେଶ କରେ, ତାହା ହେଲେ ୨୬ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ।