
ପୁରୀ: ରଥଯାତ୍ରା ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଭାବେ ଭଉଁରୀ ତିଥିରେ ଶନିବାର ରଥଖଳାରେ ତିନି ରଥର ଚକ-ଅଖ ସଂଯୋଗ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ପାରମ୍ପରିକ ବିଧିବିଧାନ ମଧ୍ୟରେ ଏହି ନୀତି ଅନୁଷ୍ଠିତ ହୋଇଥିଲା।
ସକାଳୁ ରଥଖଳାରେ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଲେଖାଏଁ ଅଖ ପ୍ରସ୍ତୁତ ରଖାଯାଇଥିଲା। ପାରମ୍ପରିକ ସେବାପୂଜା ପରେ ଭୋଇ ସେବାୟତମାନେ ଚକ ଓ ଅଖକୁ ସଂଯୋଗ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ଅର୍ପଣ କରିବା ସହ ନୀତିକାର୍ଯ୍ୟ ଆରମ୍ଭ ହୋଇଥିଲା।
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଏବେ ଆହୁରି ଗତି ପାଇଛି। ଆସନ୍ତା ଦିନଗୁଡ଼ିକରେ ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ କରାଯିବା ସହ ସ୍ନାନପୂର୍ଣ୍ଣିମା ପୂର୍ବରୁ ରଥର ପ୍ରମୁଖ ଅଂଶଗୁଡ଼ିକ ସଜାଯିବ।
ଏହି ନୀତିକୁ ଦେଖିବା ପାଇଁ ରଥଖଳାରେ ଭକ୍ତମାନଙ୍କ ଭିଡ଼ ଜମିଥିଲା। ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।


