ସ୍ୱାମୀକୁ ବିପଦରୁ ବଞ୍ଚାଇ ପ୍ରାଣ ହରାଇଲେ ପତ୍ନୀ

ନୂଆପଡା : ସ୍ୱାମୀକୁ ବିପଦରୁ ବଞ୍ଚାଇ ନିଜେ ପ୍ରାଣ ହରାଇଲେ ପତ୍ନୀ। ରାତି ଅଧରେ ସ୍ୱାମୀଙ୍କୁ ଜଣେ ଯୁବକ ବନ୍ଧୁକ ମୁନରେ ଭୟଭୀତ କରୁଥିବା ଦେଖି ନିଜେ ବନ୍ଧୁକ ସାମ୍ନାକୁ ପଳାଇଲେ ପତ୍ନୀ। ସ୍ୱାମୀ ବଞ୍ଚିଗଲେ, ହେଲେ ବନ୍ଧୁକ ଗୁଳିରେ ପ୍ରାଣ ହରାଇଲେ ପତ୍ନୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତି ନୂଆପଡା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ । ମୃତା ମହିଳାଜଣକ ହେଲେ ସୁବାଷ ଚନ୍ଦ୍ର ସାହୁଙ୍କ ପତ୍ନୀ କୁମୁଦିନୀ ଶବର । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଠୁଟିବର ଗାଁର ନୀଳାମ୍ବର ସୁନା ନାମକ ଜଣେ ଯୁବକ ସୁବାଷ ସାହୁଙ୍କ କବାଟ ବାଡ଼େଇଥିଲେ। ସୁବାଷ କବାଟ ଖୋଲିବାରୁ ନୀଳାମ୍ବର ସୁନା ବନ୍ଧୁକ ଦେଖାଇ ଦାଦାବଟି ଦେବାକୁ କହିଥିଲେ। ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ। ସୁବାଷ ଦାଦାବଟି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସୃଷ୍ଟି ହୋଇଥିଲା। ଏହି ସମୟରେ ପାଖରେ ଥିବା ସୁବାଷଙ୍କ ପତ୍ନୀ ତାଙ୍କୁ ପଛକୁ ଠେଲି ବନ୍ଧୁକ ସମ୍ମୁଖକୁ ପଳାଇ ଆସିଥିଲେ। ଉତ୍ତ୍ୟକ୍ତ ନୀଳାମ୍ବର ବନ୍ଧୁକ ଚଳାଇବାରୁ ଗୁଳି ସିଧାସଳଖ କୁମୁଦିନୀଙ୍କ ଦେହରେ ବାଜିଥିଲା ଓ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ କୋମନା ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନୀଳାମ୍ବର ଫେରାର ଥିବା ଜଣାଯାଇଛି। ନୀଳାମ୍ବର ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ହୋଇଥିବା ବେଳେ ସେ ବନ୍ଧୁକ କେଉଁଠୁ ଆଣିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।